କ୍ୟାସ ଲୁଟେରାଙ୍କ ପୋଲିସକୁ ଚ୍ୟାଲେଞ୍ଜ

    0
    459


    ଭୁବନେଶ୍ୱର: ଓଡ଼ିଆରେ କୁହାଯାଇଥାଏ ଚୋର ସବୁବେଳେ ଗଣ୍ଠି ଉପରେ ନଜର ଥାଏ। ଏହି ପ୍ରବାଦଟି କିନ୍ତୁ ଆଜିକାଲି ପୁରୁଣା ହୋଇଗଲାଣି। ଆଜିକାଲି ଚୋରଙ୍କ ମନ ବ୍ୟାଙ୍କ୍‌ ଉପରେ, ବ୍ୟାଙ୍କ ଏଟିଏମ୍‌, ବ୍ୟାଙ୍କକୁ ଯାଉଥିବା କ୍ୟାଶ୍‌ ଭ୍ୟାନ୍‌ ଅଥବା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରହୁଛି। ଅତୀତରେ ଚୋରମାନେ ଗଣ୍ଠି ଅର୍ଥା କିଛି ଜିନିଷକୁ  କପଡ଼ା ବା ବ୍ୟାଗ୍‌ରେ ବନ୍ଧା ଯାଇଥିବା ଜିନିଷ ଉପରେ ରହୁଥିଲା। ଏହି ଗଣ୍ଠିଳି ଭିତରେ ହୁଏତ ଟଙ୍କା ଅଥବା କିଛି ଜିନିଷ ଥିବ ବୋଲି ଚୋରମାନେ ଭାବୁଥିଲେ। ଆଜିକାଲି ଏହି ଗଣ୍ଠିଳି ଚୋରମାନଙ୍କ ପାଇଁ ମୂଲ୍ୟହୀନ। କାରଣ ଗଣ୍ଠିଳି ଚୋରି କଲେ ଅବା କେତେ ମୂଲ୍ୟ ମିଳିବ। ସେଥି ପାଇଁ ଚୋରମାନେ ଆଜିକାଲି ଲୁଟେରା ଅଥବା ଦୁର୍ବୃତ୍ତରେ ପରିଣତ ହୋଇ ଯାଇଛନ୍ତି। ଏହି ଲୁଟେରା, ଦୁର୍ବୃତ୍ତ ଏବଂ ଡକାୟତମାନେ ଦିନ ଦିପହରରେ ମଧ୍ୟ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଛଡ଼ାଇ ନେବାରେ ପାରଙ୍ଗମ।

    ବିଗତ ଦିନରେ ରାଜ୍ୟରେ ଏକାଧିକ ଅର୍ଥନୈତିକ ଲୁଟ୍‌, ଡକାୟତ ହୋଇଥିବା ଖବର ଆମେ ଗଣମାଧ୍ୟମରୁ ପଢ଼ିଛେ। ଅସାମାଜିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହୁଥିବା ବ୍ୟକ୍ତିମାନେ ବିନା ପରିଶ୍ରମରେ ଲକ୍ଷପତି ବା କୋଟିପତି ହେବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ସେଥି ପାଇଁ କୁପଥକୁ ଅନୁସରଣ କରିଥାନ୍ତି। ଅନେକ କ୍ଷେତ୍ରରେ ପୋଲିସର ଟାର୍ଗେଟରେ ପଡ଼ି ବର୍ଷ ବର୍ଷ ଧରି ଜେଲରେ ଦିନ କାଟୁଥିବା ଡକାୟତମାନେ କିନ୍ତୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣୁ ନାହାନ୍ତି। ଜେଲରୁ ଫେରିବା ପରେ ମଧ୍ୟ ପୁଣି ଅପରାଧ ଦୁନିଆରେ ପାଦ ଥାପିବାକୁ ପଛାଉ ନାହାନ୍ତି।

    ଧରାପଡ଼ିଲେ ବ୍ରହ୍ମପୁର ଏଟିଏମ୍‌ ଲୁଟେରା

    ଚଳିତ ମାସ ୧୮ତାରିଖ ଦିନ ୧୦ଟା ୩୦ରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା ରୋଡ଼ରୁ ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣର ଡକାୟତମାନେ ଧରାପଡ଼ିଛନ୍ତି। ଲୁଟ୍‌ ଘଟଣାର ମାଷ୍ଟର୍ମାଇଣ୍ଡ୍‌ ତଥା ଗାଡ଼ିର ଡ୍ରାଇଭର୍‌ ଆଶିଷ କୁମାର ଦିଗାଲଙ୍କ ଓ ତାର ୨ ଜଣ ମୁଖ୍ୟ ସହଯୋଗୀକୁ ପୋଲିସ ଗିରଫ କରିଛି। ପୋଲିସ ଏମାନଙ୍କ ପାଖରୁ ୨୦ଲକ୍ଷ ୯୦ହଜାର ଟଙ୍କା, ୪ଟି ମୋବାଇଲ୍‌ ଓ ଲୁଟ୍‌ ଘଟଣାରେ ବ୍ୟବହାର ହୋଇଥିବା ଏକ ବାଇକ୍‌ ଜବତ କରିଛି। ଘଟଣା ଦିନ  ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ୨୬ ଲକ୍ଷ ଟଙ୍କା ନେଇ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଭର୍ତ୍ତି କରବାକୁ ବାହାରି ଥିଲା। ଆସିକା ରୋଡ଼ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରରେ ଗନମ୍ୟାନ୍‌ ଓ ଦୁଇଜଣ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ବ୍ୟାଙ୍କ ଭିତରକୁ ଯାଇଥିବା ବେଳେ ଗାଡ଼ିଟି ସେଠାରୁ ଉଭାନ୍‌ ହୋଇ ଯାଇଥିଲା।

    ବନ୍ଧୁକ ଦେଖାଇ ୨୧ ଲକ୍ଷ ଲୁଟ୍‌

    ଗତ ମାର୍ଚ୍ଚ ମାସ ୧୭ ତାରିଖର ଘଟଣା। ଦୁଇ ଜଣ ଏଟିଏମ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୨୧ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ସୋନପୁର ବରୋଦା ବ୍ୟାଙ୍କରୁ ଦୁଇ ଜଣ ଏଟିଏମ୍‌ ଏକଜ୍ୟୁକୁଟିଭ୍‌ ସୁଧାଂଶୁ ପ୍ରଧାନ ଓ ସୁନିଲ୍‌ ମହାରଣା ଯଥାକ୍ରମେ ୧୧ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ନେଇ ଉଲୁଣ୍ଡା ବରୋଦା ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭର୍ତି କରିବାପାଇ ଯାଉଥିଲେ। ଉଲୁଣ୍ଡା ବ୍ଲକର ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ବିଶିପଡ଼ା ରାସ୍ତା ପାଖରେ ଦୁର୍ବୃତ୍ତମାନେ ଏହି କାମ କରିଥିଲେ। କିନ୍ତୁ ପରେ ସେବାନେ ପୋଲିସ ହାତରେ ଗିରଫ ହୋଇଥିଲେ।  

    ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ

    ରାଜ୍ୟରେ ଦୈନିକ ଚୋରି, ଡକାୟତି, ରାହାଜାନୀ, ଲୁଟ୍‌ ଭଳି ଅପରାଧିକ ଘଟଣା ଘଟୁଛି। ଅସାମାଜିକ କାମରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବାରେ ପୋଲିସ ଅନେକ ସମୟରେ ବିଫଳ ହେଉଛି। ଯଦିଓ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁଛି, ତାହା ବହୁତ କମ ମାତ୍ରାରେ। ଲୁଟେରାମାନେ ଓଡ଼ିଶାରେ ଲୁଟ୍‌ କରିବା ପରେ ଅନ୍ୟ ରାଜ୍ୟକୁ ପଳାୟନ ମଧ୍ୟ କରୁଛନ୍ତି। ଚଳିତ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ତେଣୁ ସୁରକ୍ଷା ବ୍ୟବସ୍ଥା ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରଥାନ୍ତି। 

    LEAVE A REPLY

    Please enter your comment!
    Please enter your name here