ଏବେଠୁ ଏତେ, ଆଗକୁ କେତେ?

0
179

ଭୁବନେଶ୍ବର: ମୟୂରଭଂଜର ଲୋକେ ମାଘ ମାସର ଶୀତକୁ ବାଘ ସହିତ ତୁଳନା କରୁଥିଲେ। ବଣପାହାଡ଼ ଘେରା ମୟୂରଭଂଜ ଜିଲ୍ଲାର ଲୋକେ ମାଘମାସରେ ଦିନ ୯ଟା ପର୍ଯ୍ୟନ୍ତ ଶୀତରେ ଥରୁଥିଲେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଓ ଘୁମୁସର ଉଦୟଗିରିରେ ଫେବ୍ରୁଆରି ମାସରେ ମଧ୍ୟ ପ୍ରବଳ କୁହୁଡ଼ି ଓ ଶୀତ ଅନୁଭୂତ ହେଉଥିଲା ତାହା ଆଉ ନାହିଁ। ସେହିପରି କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଫେବ୍ରୁଆରି ମାସରେ ଶୀତ ଜାରି ରହୁଥିଲା। ଏବେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ କାରଣରୁ ମାଘ ମାସରେ ଆଉ ବାଘ ଭଳି ଶୀତ ଅନୁଭୂତ ହେଉ ନାହିଁ। ଖରା ଯୋଗୁଁ ଜଳାଶୟଗୁଡ଼ିକ ଶୁଖିସାରିଛି। ଚିରସ୍ରୋତା ନଦୀ ଜଳସ୍ତର ହ୍ରାସ ପାଇଛି। ଜଳଭଣ୍ଡାରର ଅବସ୍ଥା ମଧ୍ୟ ସମାନ। 

ବିଗତ କିଛି ବର୍ଷ ହେଲା ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି। ଖରା, ବର୍ଷା ଓ ଶୀତ ଠିକ୍‌ ସମୟରେ ହେଉନାହିଁ। ବର୍ଷା ଋତୁ ପରେ ଶରତ ଋତୁ ଆସୁଥିଲା ଏବଂ ଶୀତ ପରେ ବସନ୍ତଋତୁ ଅନୁଭୂତ ହେଉଥିଲା। କିନ୍ତୁ ଶରତ ଓ ବସନ୍ତର ସ୍ପର୍ଶ ମିଳୁନାହିଁ। ଗାଁ ପୋଖରୀରେ ଶରତ ଋତୁରେ ଫୁଟୁଥିବା କଇଁଫୁଲ ଓ ବସନ୍ତ ଋତୁରେ କୋଇଲିର ସ୍ବର ଶୁଣିବାକୁ ମିଳୁନାହିଁ। ବର୍ଷାଋତୁ ପରେ ଶୀତ ଏବଂ ଶୀତ ପରେ ଗ୍ରୀଷ୍ମଋତୁର ଆଗମନ କାରଣରୁ ଲୋକଙ୍କର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଛି। ଶିଶୁମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି।

ଖରାରେ ଜନଜୀବନ ଅସ୍ତବ୍ୟସ୍ତ

ମାଘ ମାସ ସରି ନଥିବା ବେଳେ ବୈଶାଖ ଓ ଜ୍ୟେଷ୍ଠ ମାସର ଖରା ଅନୁଭୂତ ହେଉଛି। ଦିନ ୧୦ଟା ପରଠାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ଯିବା ସହଜ ଯେଉ ନାହିଁ। ରାସ୍ତାଘାଟରେ ଲୋକଙ୍କର ଯାତାୟତ କମ୍‌ ରହୁଛି। ଖରାଦିନ ଆସିବାକୁ ଆହୁରି ଢେର ସମୟ ବାକି ଥିବା ବେଳେ ଏବେ ଠାରୁ ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ଉପକୂଳରୁ ଅଭ୍ୟନ୍ତରୀଣ ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ଉପର ମୁହାଁ। ରାଜଧାନୀ ଭୁବନେଶ୍ବର ଭଳି ସହରରେ ପାରା ୩୭କୁ ଛୁଇଁସାରିଛି। ରାଜ୍ୟର ଅନ୍ୟ ୧୫ଟି ସହର‌ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି କିମ୍ବା ତା’ଠାରୁ ଉପରେ ରେକର୍ଡ ହୋଇସାରିଛି। ଆଗକୁ ମଧ୍ୟ ତାପମାତ୍ରା ଜାରି ରହିଲେ ଚଳିତ ବର୍ଷ ପାରା ୪୮ ଡିଗ୍ରି ପର୍ଯ୍ୟନ୍ତ ଛୁଇଁବା ଆଶଙ୍କା ରହୁଛି।

ବଢୁଛି ଖରା, ହୋଇପାରେ ବର୍ଷା

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ରାଜ୍ୟର ବାକି ସବୁ ଅଞ୍ଚଳରେ ପାଗ ଶୁଖିଲା ରହିବ। ୨୩ ତାରିଖ ସକାଳ ସାଢ଼େ ୮ଟାରୁ ୨୪ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ପୁରୀର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ ଦିନ ସମୟରେ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଆସନ୍ତା ଦୁଇ ଦିନ ଯାଏ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୫ରୁ ୩୭ ଡିଗ୍ରି ମଧ୍ୟରେ ରହିବ। ରାତିର ତାପମାତ୍ରା ଉପକୂଳ ଓଡ଼ିଶାରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୭ ଡିଗ୍ରି ଅଧିକ ରହୁଛି।

ଗ୍ରୀଷ୍ମ ଆସିନି ଅଗ୍ନିକାଣ୍ଡ

ଗ୍ରୀଷ୍ମଋତୁରେ ଅଗ୍ନିକାଣ୍ଡଜନିତ ଘଟଣା ପ୍ରାୟତଃ ଅଧିକ ଦେଖାଯାଇଥାଏ। ବାୟୁମଣ୍ଡଳ ଶୁଷ୍କ ରହୁଥିବାରୁ ନିଆଁ ଖୁବ୍‌ ଶୀଘ୍ର ବ୍ୟାପିବାରେ ସହାୟକ ହୋଇଥାଏ। କିନ୍ତୁ ଏବେ ଶୀତଋତୁ ଚାଲିଥିବା ବେଳେ ଗ୍ରୀଷ୍ମଋତୁର ପ୍ରଭାବ ଦେଖାଯାଉଥିବାରୁ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ପଣ୍ଡୁଆ ଗ୍ରାମରେ ଗତ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ୧୨ବଖରା ଘର ପୋଡ଼ିଯାଇଛି। ଏହା ପୂର୍ବରୁ ଗତମାସ ୨୫ ତାରିଖରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ଛକରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା। ନିମାପଡ଼ା-ସରଦେଇପୁର ରାସ୍ତାର ଚଣାହଟ୍ଟା ଛକରେ ଥିବା ରଘୁନାଥ ଜେନାଙ୍କ ଲୁବ୍ରିକାଣ୍ଟ ଦୋକାନ କୌଣସି କାରଣରୁ ହଠାତ ଅଗ୍ନି ସଂଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here