ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଆମଠୁ ଆଗରେ ପଡ଼ୋଶୀ

    0
    474

    ଭୁବନେଶ୍ବର: ବିକଶିତ ରାଜ୍ୟର ମୁଖ୍ୟ ପରିଭାଷା ହେଉଛି ଅର୍ଥନୀତି। ଏହା ବାଦ୍‌ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥାକୁ ନେଇ ମଧ୍ୟ ଏକ ରାଜ୍ୟର ବିକାଶ କେତେ ହୋଇଛି କୁହାଯାଇ ପାରିବ। ସେହିପରି କୃଷି, ଶିଳ୍ପ, ବାଣିଜ୍ୟ, ରୋଜଗାର ପ୍ରଦାନ କରିବାରେ ସରକାର କେତେ ସକ୍ଷମ, ତାହା ମଧ୍ୟ ବିକାଶର ଅନ୍ୟତମ ମାନଦଣ୍ଡ। ଓଡ଼ିଶା ଏହି ସବୁ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ବହୁ ପଛରେ ରହିଛି। ସରକାର ଯଦିଓ ଏହାକୁ ସ୍ବୀକାର କରିବେ ନାହିଁ, ତଥାପି ଆମ ରାଜ୍ୟ ପଂଜାବ, କେରଳ, ତାମିଲନାଡୁ, ଛତିଶଗଡ଼ ସହିତ ସମକକ୍ଷ ହେବା ପାଇଁ ଆମକୁ ଆହୁରି ଅନେକ ବର୍ଷ ଲାଗିବ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।

    ଓଡ଼ିଶାର ସ୍ବାସ୍ଥ୍ୟ ବ୍ୟବସ୍ଥା ବହୁତ ପଛରେ। ଚିକିତ୍ସା ନ ପାଇଁ ଅକାରଣରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ଭଲ ଚିକିତ୍ସା ବ୍ୟବସ୍ଥା ନେଇ ସରକାର ଯଦିଓ ବାହାସ୍ପୋଟ ମାରୁଛନ୍ତି ଏହା କେବଳ ଭାଷଣ ବାଜିରେ, ପ୍ରକୃତରେ କାମରେ ନୁହେଁ। ସ୍ବାସ୍ଥ୍ୟ ଭିତ୍ତିଭୂମିରେ ସଂଶୋଧନ ଆଣିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ଅଟ୍ଟାଳିକା ପରି ନିର୍ମାଣ କରାଯାଇଛି ସତ। କିନ୍ତୁ ଏଠାରେ ଆବଶ୍ୟକ ପରିମାଣରେ କର୍ମଚାରୀ ଓ ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ। କେବଳ ସେତିକି ନୁହେଁ ଅନେକ ହସ୍ପିଟାଲରେ ସରକାରୀ ବାବୁ ମାନଙ୍କର ସେବା ମନୋଭାବ ମଧ୍ୟ ରହୁ ନ ଥିବା ଅତୀତରେ ଅଭିଯୋଗ ଆସିଛି।

    ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା

    ଉତ୍ତର ସ୍ବାସ୍ଥ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଶିଶୁ ଜନ୍ମ ହେବା ପୂର୍ବରୁ ମମତା ଯୋଜନା କରିଛନ୍ତି। ମନୁଷ୍ୟର ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ସରକାରୀ ବାବୁ ମାନଙ୍କର ମୋଟାଳିଆ ମନ ପାଇଁ ହିତାଧିକାରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗମନାଗମନର ବ୍ୟାପକ ଅସୁବିଧା ଯୋଗୁଁ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ପ୍ରଭାବ ପଡ଼ିଥାଏ। ମାଲକାନଗିରି, କୋରାପୁଟ, ଗଜପତି, ନବରଂଗପୁର, କନ୍ଧମାଳ ଆଦି ଜିଲ୍ଲା ଗୁଡ଼ିକରେ ଜନନୀ ଯନ୍ତ୍ରଣା ଏକ ମାମୁଲି କଥା ହୋଇଛି। ଗୁରତର ରୋଗୀଙ୍କ ପାଖକୁ ଆମ୍ବୁଲାନ୍ସ ପହଞ୍ଚି ପାରେ ନାହିଁ। ଖଟିଆରେ ରୋଗୀଙ୍କୁ ବୁହାଯାଇ ୫କିମି ପର୍ଯ୍ୟନ୍ତ ମଧ୍ୟ ଆମ୍ବୁଲାନ୍ସକୁ ନିଆଯାଏ। ଗର୍ଭବତୀ, ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥାଏ।  

    ଓଡ଼ିଶାର ସ୍ଥାନ ୧୪

    ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ନୀତି ଆୟୋଗଙ୍କ ପକ୍ଷରୁ ‘ହେଲଥ ଇନଡେକ୍ସ’ ଜାରି ହୋଇଛି। ଏହି ତାଲିକାରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଆଗରେ ରହିଥିବା ଜଣାପଡ଼ିଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବାରେ  କେରଳ ଦେଶରେ ପ୍ରଥମ ସ୍ଥାନରେ ରହିଛି। ତାମିଲନାଡୁ ୨ୟ ସ୍ଥାନରେ ଥିବା ବେଳେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନରେ ରହିଛି। ଏହି ତାଲିକାରେ ଓଡ଼ିଶାର ସ୍ଥାନ ୧୪। ଓଡ଼ିଶା ଦେଶର ଅନ୍ୟତମ ପୂରାତନ ରାଜ୍ୟ। କିନ୍ତୁ ଆମର ପଡୋଶୀ ଛତିଶଗଡ଼ (୧୦) ଓ ଝାଡ଼ଖଣ୍ଡ (୧୩) ନୂଆ ରାଜ୍ୟ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଆଗରେ।  

    ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ

    ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଗରିବୀକୁ ୧୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡିସେମ୍ବର ୨୬ରେ ଭୁବନେଶ୍ବରରେ ଅନୁଷ୍ଠିତ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ନବୀନ ଏହା କହିଥିଲେ। ସେ କହିଥିଲେ ଯେ, ୨୦୦୦ ମସିହାରେ ଓଡ଼ିଶାରେ ଗରିବୀ ଥିଲା ୬୩%। ୨୧ ବର୍ଷରେ ଏହା ୨୯%କୁ ଖସିଛି। ଆଗାମୀ ଦିନରେ ଗରିବୀ ଆହୁରି ତଳକୁ ଖସି ଚାଲିବ। ରାଜ୍ୟର ଗରିବୀ ପରିସ୍ଥିତି ଦୂର ହେଲେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ମଧ୍ୟ ଆଶା କରାଯାଉଛି।  

    LEAVE A REPLY

    Please enter your comment!
    Please enter your name here