ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଡ଼ିବ ଅଧିକ ଚାପ!

    0
    425

    ଭୁବନେଶ୍ୱର: ଆସନ୍ତା ସପ୍ତାହ ଠାରୁ ଅଷ୍ଟମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ। ଏହି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଭଳି ଅଫ୍‌ଲାଇନ୍‌ରେ କ୍ଲାସ କରିବେ। ରାଜ୍ୟ ସରକାର ଏନେଇ ଶନିବାର ଏସ୍‌ଓପି ଜାରି କରିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ତେବେ ଦୀର୍ଘ ୧୮ ମାସ ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ଅଷ୍ଟମ ଶ୍ରେଣୀ ପିଲମାନଙ୍କୁ ପାଠପଢ଼ାର ଅତିରିକ୍ତ ବୋଝକୁ ସାମ୍ନା କରିବାକୁ ହେବ। କାରଣ ଏହି ଶ୍ରେଣୀର ପିଲାମାନେ ୬ଷ୍ଠ ଓ ୭ମ ଶ୍ରେଣୀର ବିଷୟବସ୍ତୁ ଉପରେ ପଢ଼ିବେ।  

    ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପ୍ରତିଦିନ ୧ ଘଣ୍ଟା ଲେଖାଏଁ ୬ଷ୍ଠ ଓ ୭ମ ଶ୍ରେଣୀର ପାଠ ପଢ଼ାଇବେ ଶିକ୍ଷକ। ସରକାରଙ୍କ ଚିନ୍ତା କରିଛନ୍ତି ଯେ, ୬ଷ୍ଠ ଓ ୭ମ ଶ୍ରେଣୀର ପାଠକୁ ରିଭିଜନ କଲା ପରେ ୮ମ ଶ୍ରେଣୀର ପାଠପଢ଼ା ସହଜ ହେବ, ଯାହାକି ପରବର୍ତ୍ତୀ ଶ୍ରେଣୀ ଗୁଡ଼ିକରେ ପିଲାମାନେ ଅନେକ ପ୍ରସଙ୍ଗକୁ ବୁଝିବାରେ ଅସୁବିଧାର ସାମ୍ନା କରିବେ ନାହିଁ। କିନ୍ତୁ ଏଠାରେ ସବୁଠାରୁ ବଡ଼ ସମସ୍ୟା ହେବାର ଆଶଙ୍କା ରହୁଛି ଯେ, ଯେତେବେଳେ କରୋନା ନଥିଲା ବର୍ଷ ସାରା ପାଠ ପଢ଼ି କିଛି ଆଗୁଆ ପିଲାଙ୍କୁ ବାଦ୍‌ ଦେଇ ଅନ୍ୟମାନେ, ନିଜର ବିଷୟ ପ୍ରତି ଧୂରନ୍ଧର ହୋଇପାରୁ ନଥିଲେ। ଏବେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକକାଳୀନ ୩ କ୍ଲାସର ପାଠ ପଢ଼ିବା ସମୟରେ ବହୁବିଧ ସମସ୍ୟାର ସାମ୍ନା କରିପାରନ୍ତି।

    ଏସ୍‌ଓପିରେ ରହିଛି କ’ଣ?

    ଚଳିତ ମାସର ୨୫ ତାରିଖରେ ଅଷ୍ଟମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିବା ପୂର୍ବରୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ପଂଚାୟତିରାଜ ବିଭାଗ ଓ ଗଣଶିକ୍ଷା ବିଭାଗ ନିଜ ଭିତରେ ସମନ୍ଵୟ ରଖି ସ୍କୁଲର ସଫେଇ କାର୍ଯ୍ୟ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଖୋଲିବା ପରେ ପାଠପଢ଼ା କିପରି କରାଯିବ ସେ ବିଷୟରେ ଏସ୍‌ଓପିରେ ମାର୍ଗଦର୍ଶିକା ଦିଆଯାଇଛି। ବିଦ୍ୟାଳୟରେ ସ୍କୁଲର ସଫେଇ ବ୍ୟବସ୍ଥାକୁ ଗୁରୁତ୍ୱ, ଶୌଚାଳୟ ଓ ବିଶୁଦ୍ଧ ଜଳ ଯୋଗାଣ ସୁନିଶ୍ଚିତ, ସ୍କୁଲ ପରିଚାଳନା କମିଟି, ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ଵୟ ସ୍ଥାପନ, ପଂଚାୟତିରାଜ ବିଭାଗର ସହଯୋଗରେ ଭିତ୍ତିଭୂମିର ବିକାଶ ଓ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦିଆଯିବ।

    ପ୍ରତିଦିନ ୧ ଘଣ୍ଟା ପୂର୍ବ ପାଠ ରିଭିଜନ

    ସ୍କୁଲ ଖୋଲିବା ପରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଥରେ ଜୋରଦେଇ ପଢ଼ିବାକୁ ହେବ। ପିଲମାନେ ସକାଳ ୯ଟାରେ ସ୍କୁଲ ଯିବେ। ଅପରାହ୍ନ ସାଢ଼େ ୧୨ଟାରେ ଘରକୁ ଫେରିବେ। ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବାର ବ୍ୟବସ୍ଥା ହୋଇ ନାହିଁ। ତେଣୁ  ସେମାନେ ଶୀଘ୍ର ଘରକୁ ଆସିବେ। ତେବେ ପ୍ରଶ୍ନ ଉଠୁଛି ମାତ୍ର ସାଢ଼େ ୩ ଘଣ୍ଟା ମଧ୍ୟରୁ ସେମାନେ ଅଢ଼େଇ ଘଣ୍ଟା ଅଷ୍ଟମ ଶ୍ରେଣୀର ପାଠ ପଢ଼ିବେ। ବାକି ଏକ ଘଣ୍ଟା ଷଷ୍ଠ ଓ ସପ୍ତମ ପାଠ ପଢ଼ିବେ। ଏହାରି ମଧ୍ୟରେ ଶିକ୍ଷା ବର୍ଷ ୨୦୨୧-୨୨ର ଅର୍ଦ୍ଧାଧିକ ସମୟ ଅତିକ୍ରାନ୍ତ ହୋଇସାରିଛି। ବାକି ୬ ମାସ ଭିତରେ ପିଲାମାନଙ୍କୁ ନିଜର ବିଷୟ ପ୍ରତି ଜୋର ଦେବାକୁ ପଡ଼ିବ।  

    ବିଦ୍ୟାଳୟର ହେବ ମନିଟରିଂ

    ସେହିପରି ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ବିଦ୍ୟାଳୟର ମନିଟରିଂ କରିବେ। ବଡ଼ ଲୋକଙ୍କ ଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତେ ସଚେତନ ହେବା ଜରୁରୀ। ସ୍କୁଲ ପିଲାଙ୍କ ପାଖରେ କଣ ସବୁ ଲକ୍ଷଣ ଅଛି, ଶିକ୍ଷକମାନେ କୋଭିଡ ଟିକା ନେଇଛନ୍ତି ନା ନାହିଁ, ସେ ଉପରେ ଅନୁଧ୍ୟାନ କରିବେ। ସ୍କୁଲ ଖୋଲିବା ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ସରକାର ଆଲୋଚନା କରିଥିବା ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।   

    LEAVE A REPLY

    Please enter your comment!
    Please enter your name here