ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ

    0
    471

    ଭୁବନେଶ୍ବର: ବର୍ଷା ଅଭାବ, ମାତ୍ରାଧିକ ବର୍ଷା ଓ ଅସମୟରେ ବର୍ଷା ଚାଷକାର୍ଯ୍ୟକୁ ପ୍ରଭାବିତ କରୁଥିବା ବେଳେ ଚାଷୀମାନଙ୍କ ପାଇଁ ଚିନ୍ତା ବଢ଼ାଉଛି। ଠିକ୍‌ ସମୟରେ ବର୍ଷା ନହେବାରୁ ଚଳିତ ଖରିଫ୍‌ ଋତୁରେ ଫସଲ ବଢ଼ିବାରେ ଢେର ଅସୁବିଧା ହୋଇଥିବା ବେଳେ ଗତ ସପ୍ତାହରେ ବର୍ଷା ଲାଗିରହିବା ଏବଂ ପାଗ ମେଘୁଆ ରହିବା ଯୋଗୁଁ ଫସଲ ଉତ୍ପାଦନରେ ଚାଷୀ ସମସ୍ୟାର କାରଣ ପାଲଟିଛି। ତେବେ ଚାଷୀ ଓ ଚାଷୀଙ୍କ ଅସୁବିଧାର ମୂଳ କାରଣ ପାଲଟିଛି ପାଣି। ଏହି ପରିପ୍ରେକ୍ଷୀରେ ‘ଜଳ ବହୁଳେ ସୃଷ୍ଟି ନାଶ ଓ ଜଳ ବିହୀନେ ସୃଷ୍ଟି ନାଶ’ ଉକ୍ତିଟି ସତ୍ୟରେ ପରିଣତ ହୋଇଛି।  

    ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ ବ୍ୟାପକ ପ୍ରଭାବିତ ହୋଇଛି। ଜୁନ୍‌ ମାସରେ ବର୍ଷା ଠିକ୍‌ଠାକ୍‌ ହୋଇଥିବା ବେଳେ ଜୁଲାଇ ଓ ଅଗଷ୍ଟ ମାସରେ ସ୍ପଳ୍ପ ବୃଷ୍ଟି ଯୋଗୁଁ ଫସଲ ବଢ଼ିବାରେ ଆସୁବିଧା ହୋଇଥିଲା। ଅଗଷ୍ଟ ମାସରେ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଏଥି ପାଇଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ବେଳକୁ ଧାନ କ୍ଷେତ ଗୁଡ଼ିକ ମାଟି ଫାଟି ଆଁ କରିଥିଲା। କପାଚାଷକୁ ବର୍ଷା ଜଳ ଆବଶ୍ୟକ କରୁଥିଲା। ସେହି ସମୟରେ ପରିବା ଚାଷ ଏବଂ ଡାଲି ଜାତିୟ ଫସଲ ପାଇଁ ହଳ କରାଯାଇଥାଏ। କିନ୍ତୁ ବର୍ଷା ଅଭାବରେ ଚାଷୀ ହଳ କରି ପାରି ନଥିଲେ। ସେପ୍ଟେମ୍ବର ମାସର ୨ୟ ସପ୍ତାହରେ ବର୍ଷା ହେବା ଦ୍ବାରା ଚାଷୀର ମନରେ ଉତ୍ସାହ ଦେଖାଯାଇଥିଲା।

    ପାଣିରେ ଭାସିଲା ଧାନ

    ତେବେ କ୍ଷେତରେ ଫସଲ ପୂର୍ବ ଭଳି ହସୁ ନ ଥିଲେ ବି, ଚାଷୀ ମଧ୍ୟମ ଧରଣର ଉତ୍ପାଦନ ନେଇ ମନରେ କେତେ ଆଶା ରଖିଥିବା ବେଳେ ନଭେମ୍ବର ୧୩ର ଅଦିନିଆ ବର୍ଷା ପୁଣି ଥରେ ଚାଷୀଙ୍କୁ କନ୍ଦାଇଲା। ରାଜ୍ୟରେ ଧାନକଟା ଜୋରଦାର ଚାଲିଥିବା ବେଳେ ବର୍ଷା ଆସିଯିବାରୁ ଧାନ ଗଜା ହୋଇଯାଇଥିଲା। ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଶହ ଶହ ଏକର ଧାନ ଫସଲ ପାଣିରେ ଭାସିଛି। ସେହିପରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କପାଚାଷୀଙ୍କୁ ଅଦିନିଆ ବର୍ଷା ପାଇଁ ଘରେ ହାତବାନ୍ଧି ବସିବାକୁ ପଡ଼ିଥିଲା।

    କେମିତି ହେବ ଆର୍ଥିକ ଭରଣ

    ପାଣିର ଅଭାବ ଓ ଅତ୍ୟଧିକ ପାଣି ପାଇଁ ଚାଷୀ ଏଥର ଖରିଫ ଋତୁରେ ଫସଲ ଉତ୍ପାଦନରେ ପ୍ରଭାବିତ ହେବେ। ଭାଗଚାଷୀ ଓ ଋଣ କରି ଚାଷ କରିଥିବା ଚାଷୀ ଭାଇମାନେ ସର୍ବାଧିକ କ୍ଷତି ସହିବେ। ଉତ୍ପାଦନ କମ ହେବା ଦ୍ବାରା ଚାଷୀମାନେ କେମିତି ଋଣ ପରିଶୋଧ କରିବେ ତାହା ବି ଗୋଟିଏ ପ୍ରଶ୍ନ। ସେହିଭଳି ଯେଉଁଚାଷୀମାନେ ପୁଅ-ଝିଅର ବାହାଘର, ପିଲାମାନଙ୍କର ପାଠ ପଢ଼ା ପାଇଁ ଧାନ ବିକିବାକୁ ଲକ୍ଷ୍ୟ ରଖିଥିଲେ, ଫସଲ କମ ଉତ୍ପାଦନ କମ ହୋଇଥିବାରୁ କେମିତି ଅସୁବିଧା ପୂରଣ କରିବେ, ତାହା ଅନ୍ୟ ଏକ କାରଣ ହେବ।

    ଚକଡ଼ା ପୋକ ଖାଇଲେ ଧାନ

    ଧାନ ଫସଲ ଉତ୍ପାଦନରେ କେବଳ ବର୍ଷା ଦାୟୀ ନୁହେଁ। ଏଥିରେ ଯୋଡ଼ି ହୋଇଯାଇଛି ଚକଡ଼ା ପୋକ। କେବଳ ୬ଟି ଜିଲ୍ଲାରେ ଅଦିନିଆ ବର୍ଷା ଏବଂ ୨୪ ଜିଲ୍ଲାରେ ଚକଡ଼ା ପୋକ ଯୋଗୁଁ ପ୍ରାୟ ୨୮ ହଜାରରୁ ଊର୍ଧ୍ବ ହେକ୍ଟର ଧାନ ଏବଂ ଅଣଧାନ ଫସଲ ପ୍ରଭାବିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜିଲ୍ଲାପାଳଙ୍କ ଜରିଆରେ ଉଭୟ କୃଷି ଏବଂ ରାଜସ୍ବ ବିଭାଗ ମିଳିତ ଭାବରେ ବିସ୍ତୃତ ରିପୋର୍ଟ ଏସଆରସିକୁ ଦାଖଲ କରିବା ପାଇଁ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ନିର୍ଦେଶ ଦେଇଛନ୍ତି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏବଂ ବିଭାଗୀୟ ଅଧିକାରୀ ଚକଡ଼ା ପୋକ ନିରୀକ୍ଷଣ ସହିତ ଏଥିରୁ ରକ୍ଷା ପାଇଁ ପରାମର୍ଶ ଦେଇଛନ୍ତି।

    ୬ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ

    ଚଳିତ ମାସ ୧୩ ତାରିଖରୁ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାରେ ୧୭ ହଜାର ୩ ହେକ୍ଟର ଧାନ, ୧୪୫୩ ହେକ୍ଟର ଅଣଧାନ ଫସଲ ପ୍ରଭାବିତ ହୋଇଥିବା ନେଇ କୃଷି ବିଭାଗର ପ୍ରାଥମିକ ଆକଳନ ହୋଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର ଓ ପୁରୀ ଜିଲ୍ଲାର ଚାଷୀମାନେ ସର୍ବାଧିକ କ୍ଷତିକୁ ସାମ୍ନା କରିଛନ୍ତି। ଅଦିନିଆ ବର୍ଷା ତୁଳନାରେ ଚକଡ଼ା ପୋକ ଚାଷୀଙ୍କ ସମସ୍ୟା ବଢ଼ାଇ ଦେଇଛି। ୧୪୨୯୨.୩ ହେକ୍ଟର ଫସଲ ଉପରେ ଚକଡ଼ାର ଚଡ଼କ ପଡ଼ିଛି। ଏଥିରୁ ୭୦୫.୭ ହେକ୍ଟରରେ ତୀବ୍ର ଭାବରେ, ୪୮୧୯.୯ ହେକ୍ଟରରେ ମଧ୍ୟମ ଏବଂ ୮୭୬୬.୭ ହେକ୍ଟର ସ୍ବଳ୍ପ ଭାବରେ ଚକଡ଼ା ଲାଗିଥିବା ପ୍ରାଥମିକ ଆକଳନ ରିପୋର୍ଟରେ କୁହାଯାଇଛି।  

    LEAVE A REPLY

    Please enter your comment!
    Please enter your name here