ଅତ୍ୟାଧୁନିକ ଯୁଗରେ ପ୍ରାକୃତିକ ଔଷଧ ପାଲଟିଛି ଯୋଗ

    0
    446

    ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୋଇଯାଇଛି । ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରାୟ ୨୦୦ଟି ଦେଶର ୨୫ କୋଟି ଜନତା ଯୋଗାଭ୍ୟାସ କରିଛନ୍ତି। ଏଥିରେ ୩୦ରୁ ଊର୍ଦ୍ଧ୍ବ ମୁସଲିମ ଦେଶ ମଧ୍ୟ ସାମିଲ ହୋଇଛନ୍ତି। ଯୋଗକୁ ଏକଦା ମୁନିଋଷିମାନେ ପ୍ରାଥମିକତା ଦେଉଥିବା ବେଳେ କିଛି ବର୍ଷ ହେଲା ଏହାକୁ ବିଶ୍ବବାସୀ ଗ୍ରହଣ କରିଛନ୍ତି। ଯୋଗର ମହତ୍ବକୁ ଉପଲବ୍ଧି କରିପାରିଛନ୍ତି। ଏହାର କାରଣ ହେଲା ଯୋଗ ମାଧ୍ୟମରେ ବ୍ୟକ୍ତିଗତ ଜୀବନର ବିକାଶ ଘଟୁଛି। ପ୍ରଥମତଃ ଅନେକ ଆଭ୍ୟନ୍ତରୀଣ ରୋଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ବି ଭଲ ହେଉ ନଥିବା ବେଳେ ଯୋଗ ଠିକ୍ କରିପାରୁଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି କୋଭିଡ-୧୯।

    କରୋନା କାଳରେ ଯୋଗକୁ ଅନ୍ୟତମ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିଲା। କରୋନାରୁ ଆରୋଗ୍ୟଲାଭ କଲାପରେ ରୋଗୀ ଯେତେ ବେଳେ ଦୁର୍ବଳ ଓ ଅସୁସ୍ଥ ହୋଇଯାଇଥିଲା, ସେହି ସମୟରେ ଯୋଗ ହିଁ ମନୁଷ୍ୟକୁ ଶକ୍ତି ଓ ଶାନ୍ତି ଦେଇଥିଲା। ସେହିପରି ଯୋଗ ମାଧ୍ୟମରେ ଶରୀରରେ ରୋଗପ୍ରତିଷେଧକ ବଢ଼ାଯାଇପାରିବ ବୋଲି ଆୟୁଷ ମନ୍ତ୍ରାଳୟ ସ୍ବୀକାର କରିଥିଲା। ପୂର୍ବରୁ ଯୋଗକୁ ମାନସିକ ଶାନ୍ତି ପାଇଁ କରାଯାଉଥିଲା। କିନ୍ତୁ ଏବେ ଏହାକୁ ବହୁବିଧି ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ତେଣୁ ଯୋଗ ଆଜି ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିପାରିଛି। ସର୍ବୋପରି ଅତ୍ୟାଧୁନିକ ଯୁଗରେ ଯୋଗ ପ୍ରାକୃତିକ ଔଷଧ ଭଳି କାମ କରୁଛି। ଯୋଗ ମଣିଷକୁ ନିରୋଗ ରଖିବାରେ ସହାୟକ ହେଉଛି।

     ମହୀଶୂରରେ ମୋଦୀଙ୍କ ଯୋଗ

    ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। ଏଥର କିନ୍ତୁ ଲୋକେ ସିଧାସଳଖ ଲୋକମାନେ ଯୋଗ କରିଥିଲେ। କର୍ଣ୍ଣାଟକର ଐତିହ୍ୟ ସହର ମହୀଶୂରରେ ଜାତୀୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ, ବିଜେପିର ସମସ୍ତ ବିଧାୟକ, ଦଳୀୟ ନେତା ଏବଂ ୩୦୦୦ କେନ୍ଦ୍ର ସରକାରୀ କର୍ମଚାରୀ ମୋଦୀଙ୍କ ସହ ଯୋଗ କରିଥିଲେ। ହରିଦ୍ବାରରେ ବାବା ରାମଦେବ ଓ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ସ୍ଥାନରେ ଯୋଗ କରିଥିଲେ। ଯୋଗ ଜୀବନରେ ଶାନ୍ତି ଆଣିଦିଏ। ଯୋଗ ଦ୍ବାରା ସାରା ଦେଶର ନାଗରିକଙ୍କୁ ଏକତ୍ର କରିହେବ। ପ୍ରତ୍ୟେକ ପ୍ରତ୍ୟହ ଯୋଗ କରିବାକୁ ଭୁଲିବେ ନାହିଁ। ତେଣୁ ସମସ୍ତେ ଯୋଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସରେ ଜନତାଙ୍କୁ ସମ୍ବୋଧିତ କରିଥିଲେ।  

    ଓଡ଼ିଶାରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଯୋଗ

    ସମଗ୍ର ଭାରତ ସହିତ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ ହୋଇଛି। ପୁରୀ, କୋଣାର୍କ ଓ ମୟୂରଭଂଜର ଖିଚିଂରେ ମଧ୍ୟ ଐତିହାସିକ ଭାବେ ଯୋଗ ଦିବସ ପାଳନ ହୋଇଛି। ଓଡ଼ିଶାର ଏହି ତିନୋଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀକ୍ଷେତ୍ର ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇଥିବା ବେଳେ ପ୍ରାଚୀନ ଐତିହ୍ୟ ସ୍ଥଳୀ ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।  

    ଜଳରେ ଯୋଗାଭ୍ୟାସ

    ଯୋଗ କେବଳ ଭୂପୃଷ୍ଠରେ ସୀମିତ ରହିନାହିଁ। ପାହାଡ଼-ପର୍ବତରେ ମଧ୍ୟ ଯୋଗାଭ୍ୟାସ ହୋଇଛି। ଆଇଟିବିପିର ଯବାନମାନେ ସିକ୍କିମ, ହିମାଚଳପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ବରଫ ଉପରେ ଯୋଗକରିଛନ୍ତି। ଆଇଟିବିପିର ଯବାନମାନେ ଭୂପୃଷ୍ଠ ଠାରୁ ୧୭୦୦୦ ଫୁଟ ଉପରେ ଯୋଗ କରିଛନ୍ତି।  ଓଡ୍ରାଫ୍ ଟିମ୍ ଭାସମାନ ଅବସ୍ଥାରେ ଯୋଗାସନ କରି ଏକ ନିଆରା ଅଭ୍ୟାସର ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବର ସପ୍ତମ ବାଟାଲିୟନରେ  ଏଭଳି ନିଆରା ଯୋଗାସନ ଦେଖିବାକୁ ମିଳିଥିଲା।। ଅଶୋକ ବରାଳ ଏହି ଜଳ ଯୋଗର ପ୍ରଶିକ୍ଷଣ ଦେଇଛନ୍ତି।

    LEAVE A REPLY

    Please enter your comment!
    Please enter your name here