୩ ପଡୋଶୀ ରାଷ୍ଟ୍ର ସହ ମଜବୁତ ହେବ ଭାରତର ସଂପର୍କ!

    0
    383

    ନୂଆଦିଲ୍ଲୀ: ଜନସଂଖ୍ୟା ଦୃଷ୍ଟିରୁ ବିଶ୍ବର ଦ୍ବିତୀୟ ବୃହତ୍ତ ରାଷ୍ଟ୍ରକୁ ପଡୋଶୀ ଦେଶଗୁଡ଼ିକ ଯେତିକି ଖାତିର କରନ୍ତି, ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଭାରତକୁ ଯଥେଷ୍ଟ ସମ୍ମାନ ଜଣାଇଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିକାଶ ଦିଗରେ କାମ କରୁଥିବା ବେଳେ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ କାମ ଜାରି ରହିଛି। ଭାରତ ନିଜର ଉତ୍ପାଦନ ଓ ଗବେଷଣା କ୍ଷେତ୍ରକୁ ମଜବୁତ କରିବା ଦିଗରେ କାମ କରୁଥିବାରୁ ବିଦେଶରୀ ରାଷ୍ଟ୍ରମାନେ ସମ୍ମାନ ଜଣାଇବା ସ୍ବାଭାବିକ କଥା। ବିଶ୍ବର ମହାନ ଶକ୍ତି କୁହାଯାଉଥିବା ଆମେରିକା ଓ ରୁଷିଆ ଭଳି ଦେଶଗୁଡ଼ିକ ଭାରତ ସହିତ ନିଜର ଦ୍ବିପାକ୍ଷୀକ ବୁଝାମଣାକୁ ଆଗକୁ ବଢ଼ାଇବା ପାଇଁ ସବୁବେଳେ ଆଗ୍ରହୀ।

    ଭାରତର ଚୀର ଦିନର ଶତ୍ରୁ ପାକିସ୍ତାନ କିଛି ନିଷ୍ପତ୍ତି ନେବା ପୂର୍ବରୁ ଅନେକ ଥର ଚିନ୍ତା କରୁଛି। ଚୀନ ଯଦିଓ ଲୋକସଂଖ୍ୟା ଦୃଷ୍ଟିରୁ ବିଶ୍ବର ସର୍ବବୃହତ୍ତ ରାଷ୍ଟ୍ର ଓ ଭାରତର ଅନ୍ୟତମ ପଡୋଶୀ ରାଷ୍ଟ୍ର ଭାରତ ବିରୋଧୀ କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାଏ। ଏବେ ଆଫଗାନିସ୍ତାନରେ ପରିଚାଳିତ ତାଲିବାନ ସରକାର ଭାରତ ସହିତ ସୁସଂପର୍କ ଯୋଡ଼ିବା ପାଇଁ ଉଦ୍ୟମ କରିବାକୁ ଯାଉଛି। ଏଥି ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି। ସେହିପରି କଶ୍ମୀର ବିବାଦ ନେଇ ପାକିସ୍ତାନ ସହିତ ଉପୁଜିଥିବା ବିବାଦର ସମାଧାନ ହୋଇପାରେ। ବାକି ରହିଲା ପ୍ରାୟ ୨ ବର୍ଷରୁ ଅଧିକ ସମୟ ହେବ ବାସ୍ତବିକ ସୀମା ରେଖା (ଏଲଏସି)କୁ ନେଇ ଯେଉଁ ବିବାଦ ଦେଖାଯାଇଛି, ସେ ନେଇ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ।

    ଭାରତ ସହ ସୁସଂପର୍କ ଚାହୁଁଛି ତାଲିବାନ

    ଅଗଷ୍ଟ ୨୨ ତାରିଖ ଠାରୁ ଭାରତ ଓ ତାଲିବାନ ମଧ୍ୟରେ ପୁଣିଥରେ କୁଟନୈତିକ ସଂପର୍କ ଆରମ୍ଭ ହୋଇଯାଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅବସ୍ଥାପିତ ଭାରତୀୟ ଦୂତାବାସରୁ କାମକାର୍ଯ୍ୟ ଆରମ୍ଭ ହୋଇଯାଇଛି ।  ଭାରତର ଏହି ପଦକ୍ଷେପକୁ ତାଳିବାନ ପ୍ରଶଂସା କରିଛି ଏବଂ ଭାରତୀୟ କୁଟନୀତିକୁ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପାଇଁ ଆଶ୍ୱାସନା ମଧ୍ୟ ଦେଇଛି । କାବୁଲରେ ଭାରତୀୟ ଦୂତାବାସ ପୁଣି ଥରେ ସକ୍ରିୟ ହେବା ପରେ ତାଲବାନ ସରକାର କହିଛି ଯେ, ଚୀନକୁ ଆଫଗାନିସ୍ତାନରେ ସେନା ଠିକଣା କରିବାକୁ ଅନୁମତି ଦିଆଯିବ ନାହିଁ । ଗତବର୍ଷ ଆଫଗାନିସ୍ତାନକୁ ତାଲିବାନ  ଅକ୍ତିଆର କରିବା ପରେ ଭାରତୀୟ ଦୂତାବାସକୁ ସେଠାରେ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିଲା ।  ଆଫଗାନିସ୍ତାନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ କହାର ବଲଖି ଶନିବାର ଏନେଇ ଗଣମାଧ୍ୟମକୁ  କହିଛନ୍ତି ଯେ, ଭାରତର ୧୩ତମ କୁଟନୈତିକ କାବୁଲ ପହଞ୍ଚି ସାରିଛନ୍ତି ଏବଂ ନିଜର କାମ ସେ ପୁଣି ଥରେ ଆରମ୍ଭ କରିଦେଇଛି। ଆଫଗାନିସ୍ତାନ ପଡୋଶୀଙ୍କ ସହିତ ସୁସଂପର୍କ ରଖିବାକୁ ଚାହୁଁଛି ।

    ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଛି ପାକିସ୍ତାନ!

    ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କରେ ପୁଣି ନୂଆ ରଂଗ ଲାଗିପାରେ। ଦେଶ ସ୍ବାଧୀନ ହେବା ଠାରୁ ଜମ୍ମୁ କଶ୍ମୀର ନେଇ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସୁସଂପର୍କ ନାହିଁ। ଏହାକୁ ସରଳ କରିବା ପାଇଁ ଅନେକ ପ୍ରୟାସ ହୋଇଥିଲେ ବି ସଫଳ ହୋଇପାରି ନାହିଁ। ପାକିସ୍ତାନର ହୀନ ଚିନ୍ତାଧାରା ଯୋଗୁଁ ଭାରତ ସହିତ ଭଲ ସଂପର୍କ ରହିପାରୁ ନାହିଁ। ତେବେ ଗତ ୨୦ ତାରିଖରେ ଆସିଥିବା ଗଣମାଧ୍ୟମର ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ କହିଛନ୍ତି ଯେ, ପାକିସ୍ତାନ ଆଲୋଚନା ମାଧ୍ୟମରେ ଭାରତ ସହିତ ‘ସ୍ଥାୟୀ ଶାନ୍ତି’ଚାହୁଁଛି । କାରଣ କଶ୍ମୀର ପ୍ରସଙ୍ଗକୁ ସହଜ କରିବା ପାଇଁ ଆଲୋଚନାର ଆବଶ୍ୟକତା ରହିଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଏକ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା କରି ଶରୀଫ କହିଛନ୍ତି ଯେ, କ୍ଷେତ୍ରରେ ଶାନ୍ତି ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବ ଅନୁସାରେ କଶ୍ମୀର ପ୍ରସଙ୍ଗର ସମାଧାନ ସହିତ ଜଡିତ । ପାକିସ୍ତାନ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଛି । ଆମେ ଆଲୋଚନା ମାଧ୍ୟମରେ ଭାରତ ସହିତ ସ୍ଥାୟୀ ଶାନ୍ତି ଚାହୁଁଛୁ । କାରଣ ଯୁଦ୍ଧ କୌଣସି ଦେଶ ପାଇଁ ବିକଳ୍ପ ନୁହେଁ ।

    ଏଲଏସି ନେଇ କଥାବାର୍ତ୍ତା ହେବେ ମୋଦୀ-ଜିନପିଙ୍ଗ!

    ଶାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଆସନ୍ତା ଉଜ୍ବେକିସ୍ତାନରେ ସେପ୍ଟେମ୍ବର ମାସରେ ଆୟୋଜନ ହେବ। ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ ଯୋଗ ଦେଇପାରନ୍ତି। ଏହି ଅବସରରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି । ଯଦି ମୋଦୀ ଓ ଜିନପିଙ୍ଗଙ୍କ ସାକ୍ଷାତ ହୁଏ, ତା’ହେଲେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ବିବାଦ ସମେତ ଅନ୍ୟ ଦ୍ୱିପାକ୍ଷୀକ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଭାରତ ଓ ଚୀନ ମଧ୍ୟରେ ଏଲଏସି ବିବାଦର ସମାଧାନ ପାଇଁ ବିଗତ ୨ ବର୍ଷ ମଧ୍ୟରେ ୧୫ରୁ ୧୬ଟି ପର୍ଯ୍ୟାୟରେ ଆଲୋଚନା ହୋଇଛି। କିନ୍ତୁ ସମାଧାନର ରାସ୍ତା ବାହାରିପାରି ନାହିଁ। ଶୀ ଜିନପିଙ୍ଗ ୨୦୨୦ ଜାନୁଆରୀ ପରଠାରୁ ଚୀନରୁ ବାହାରକୁ ଯାଇନାହାନ୍ତି । ଏକ ରିପୋର୍ଟରେ ଏସସିଓ ସମ୍ମିଳନୀରେ ସେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିପାରନ୍ତି ବୋଲି କୁହାଯାଇଛି ।  

    LEAVE A REPLY

    Please enter your comment!
    Please enter your name here