ସ୍ୱପ୍ନ ପୂରା କଲେ ପ୍ରମୋଦ ଭଗତ, ଅନ୍ୟକୁ ଦେଲେ ପ୍ରେରଣା

    0
    617

    ଭୁବନେଶ୍ୱର: ପ୍ରମୋଦ ଭଗତ ନିଜେ ଦେଖିଥିବା ସ୍ୱପ୍ନ ପୂରା କରିଛନ୍ତି। ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ସହିତ ସେ ବରଗଡ଼, ଓଡ଼ିଶା ଏବଂ ଦେଶର ଗୌରବ ବଢ଼ାଇଛନ୍ତି। ଏବେ ପ୍ରମୋଦଙ୍କ ପାଇଁ ଓଡ଼ିଆ ଖେଳାଳି, ପ୍ରଶଂସକ ଏବଂ ଜନତା ମଧ୍ୟ ଗର୍ବ ଅନୁଭବ କରୁଛନ୍ତି। ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତ। ଡାନିଏଲଙ୍କୁ ସେ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରି ଇତିହାସ ରଚିଛନ୍ତି।

    ବାରା ବ୍ୟାଡମିଣ୍ଟନରେ ବିଶ୍ୱର ୧ ନମ୍ବର  ମାନ୍ୟତା ପ୍ରାପ୍ତ ଖେଳାଳି ପ୍ରମୋଦ ଭଗତଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ସେମିଫାଇନାଲ ମୁକାବିଲାରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ। ନିଜ ଲକ୍ଷ୍ୟ ପୂରା କରିବା ପାଇଁ ସେ ଶତପ୍ରତିଶତ ସୁନିଶ୍ଚିତ ଥିଲେ। ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ସେପ୍ଟେମ୍ବର ୪ ତାରିଖରେ ହୋଇଥିବା ଫାଇନାଲ ମୁକାବିଲାର ପ୍ରଥମ ସେଟ୍‌ରେ ୨୧-୧୪ରେ ଜିତିବା ପରେ ତାଙ୍କର ସାହାସ ବଢ଼ିଯାଇଥିଲା।  

    ପଙ୍ଗୁ ଲଂଘୟତେ ଗିରି

    ଗୋଟିଏ ପରେ ଗୋଟିଏ ସଫଳତାର ଚଢ଼ିଥିବା ପ୍ରମୋଦ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ। ବରଂ ଅନ୍ୟ ଦିଗରେ ମଧ୍ୟ ପ୍ରମୋଦଙ୍କୁ ମଧ୍ୟ ଅନୁକରଣ କରାଯାଉଛି। କାରଣ ସେ ‘ପଙ୍ଗୁ ଲଂଘୟତେ ଗିରି’ ଭଳି ବାକ୍ୟକୁ ପ୍ରମାଣିତ କରିଛନ୍ତି। ନିଜର ପ୍ରବଳ ଉଦ୍ୟମ ଏବଂ ଇଚ୍ଛା ଶକ୍ତି ବଳରେ ଅସହଜ କାମକୁ ମଧ୍ୟ ସାଧ୍ୟ କରିପାରିଛନ୍ତି। ୨୮ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ଅଧ୍ୟବସାୟ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ସଫଳତା ଆଣି ଦେଇଛି। ସୂଚନାଯୋଗ୍ୟ, ପ୍ରମୋଦ ଯେତେବେଳେ ମାତ୍ର ୫ ବର୍ଷ ବୟସର ଶିଶୁ ଥିଲେ ସେହି ସମୟରେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ଏପର୍ଯ୍ୟନ୍ତ ମୋଟ ୪୫ଟି ଅନ୍ତର୍ଜାତୀୟ ମେଡାଲ ହାସଲ କରିଛନ୍ତି। ଏଥିରେ ରହିଛ ୪ଟି ବିଶ୍ୱ ଚାମ୍ପିଅନସିପ ଓ ୨୦୧୮ ଏସୀୟ ପାରା ଗେମ୍‌ସରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ।

    ଅନ୍ୟଙ୍କ ପାଇଁ ପ୍ରେରଣା

    ବରଗଡ଼ ଜିଲ୍ଲା ଅତାବିରାର ରାସ୍ତାକଡ଼ରେ ଥିବା ଏକ ପଙ୍ଖା ମରାମତି ଦୋକାନରେ ଯେତେବେଳେ ପ୍ରମୋଦ ବଡ଼ଭାଇଙ୍କୁ ସହଯୋଗ କରୁଥିଲେ, କେବେ ବି ଭାବି ନଥିଲେ ଅଲିମ୍ପିକ୍ସ କଥା । ପ୍ରମୋଦ ଅଭାବ, ଅନଟନ, ପାରିବାରିକ ସମସ୍ୟାକୁ ଦେଖିଛନ୍ତି । ହେଲେ ଏସବୁ ସତ୍ତ୍ୱେ ମଧ୍ୟ ନିଜର ସାଧାନାକୁ ଭୁଲି ନାହାନ୍ତି । ଫଳରେ ସେ ଜଣେ ଦିବ୍ୟାଙ୍ଗ ଠାରୁ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଛନ୍ତି । ଯୁକ୍ତ ୨ ପାସ କରିବା ପରେ ଯୁକ୍ତ ୩ ନାମ ଲେଖାଇଥିଲେ । ଆଇଟିଆଇ କଲେଜରେ ପଢୁଥିବା ସମୟରେ କଲେଜ ଫି’ ଦେଇପାରି ନଥିଲେ ।  

    ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ

    ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ ପରେ ପ୍ରମୋଦ ଭଗତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ପ୍ରମୋଦ ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ସେ ଜଣେ ଚାମ୍ପିଅନ, ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ। ସେ ଉଲ୍ଲେଖନୀୟ ଅଧ୍ୟବସାୟ ଓ ନିଷ୍ଠାର ପ୍ରଦର୍ଶନ କରିଛନ୍ତି। ସେହିପରି ନବୀନ ପଟ୍ଟନାୟକ କହିଛନ୍ତି, ସ୍ୱର୍ଣ୍ଣିମ ମୁହୂର୍ତ୍ତ! ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ଵିତ କରିଛି।

    ସମୃଦ୍ଧ ହେଉଛି ଓଡ଼ିଶା କ୍ରୀଡ଼ା

    କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରୁଛି। ଗତ ମାସରେ ଶେଷ ହୋଇଥିବା ଟୋକିଓ ସମର ଅଲିମ୍ପିକ୍ସ-୨୦୨୦ରେ ଭାରତୀୟ ହକି ପୁରୁଷ ଓ ହକିଟିମ୍‌ ଇତିହାସ ରଚିଛନ୍ତି। ପୁରୁଷ ଦଳ କାଂସ୍ୟ ପଦକ ଜିତିଥିବା ବେଳେ ମହିଳା ଦଳ ସେମିଫାଇନାଲରେ ପହଂଚି ଥିଲେ। ଉଭୟ ଟିମ୍‌ରେ ଓଡ଼ିଶାରୁ ୨-୨ ଜଣ ସଦସ୍ୟ ଥିଲେ। 

    LEAVE A REPLY

    Please enter your comment!
    Please enter your name here