ରାଜସ୍ବ ଚିନ୍ତା: କେତେ ସୁରକ୍ଷିତ ରହିବ ବେଳାଭୂମି?

    0
    427

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର‌୍ୟ୍ୟଟନ ବିଭାଗ ରାଜ୍ୟରେ ଥିବା ସମୁଦ୍ର ବେଳାଭୂମିର ୨୦ଟି ସ୍ଥାନରେ ମଦ ଦୋକାନ ଓ ମଦ କୁଟିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁ କିଛି ଠିକ୍‌ଠାକ୍ ଚାଲିଲେ, ଏହି ମଦ ଦୋକାନ ଗୁଡ଼ିକ ବାଲେଶ୍ୱର, ଜଗତସିଂହପୁର, ପୁରୀ ଓ ଗଂଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବେଳାଭୂମି ଗୁଡ଼ିକରେ ଖୋଲିବ। ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟର ବେଳାଭୂମିରେ ମଦ ଦୋକାନ ଗୁଡ଼ିକ ଖୋଲିଯିବ। ଅନ୍ୟ ରାଜ୍ୟର ଓ ବିଦେଶର ବେଳାଭୂମି ପରି ମଧ୍ୟ ଆମ ରାଜ୍ୟର ସମୁଦ୍ର କୂଳର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଦ ମିଳିବ। ପର‌୍ୟ୍ୟଟକଙ୍କୁ ବେଳାଭୂମିରେ ମଦ ପିଇବାକୁ ସୁଯୋଗ ସହ ଆନନ୍ଦ ମିଳିବ। 
    ଦେଶୀ-ବିଦେଶୀ ପର‌୍ୟ୍ୟଟକଙ୍କ ଚାହିଦାକୁ ଲକ୍ଷ୍ୟ ରଖି ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ବେଳାଭୂମିରେ ଏକାଧିକ ମଦ ଦୋକାନ ଖୋଲିବା ଦ୍ୱାରା ସରକାରଙ୍କ ରାଜକୋଷଙ୍କୁ ଭଲ ରାଜସ୍ୱ ମଧ୍ୟ ଆସିବାର ସମ୍ଭାବନା ରହୁଛି। ଅନ୍ୟପଟରେ ପର‌୍ୟ୍ୟଟକମାନେ ସୁବିଧାରେ ଏଥିରୁ ସୁବିଧା ନେଇପାରିବେ। ମାତ୍ର ବେଳାଭୂମିରେ ଲୋକଙ୍କର ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି। ମହିଳାମାନଙ୍କ ଉପରେ ଅଧିକ ହିଂସାତ୍ମକ ଘଟଣା ଦେଖାଯିବାର ମଧ୍ୟ ଆଶଙ୍କା ଉପୁଜିଛି। 

    ବେଳାଭୂମିରେ ବଢ଼ିବ ମଦ କାରବାର

    ବେଳାଭୂମିରେ ଆଜିକାଲି ମଧ୍ୟ ମଦ୍ୟପମାନଙ୍କର ଆଡ୍ଡା ଜମୁଛି। କିନ୍ତୁ ଏଥି ପାଇଁ ମଦ୍ୟପମାନଙ୍କୁ ବାହାରୁ ମଦ କିଣିବାକୁ ପଡୁଛି। ବେଳାଭୂମିରେ ମଦ ଦୋକାନ ଗୁଡ଼ିକ ଖୋଲିବା ପରେ ଆଉ ବାହାରୁ ମଦ ନେଇଯିବାକୁ ପଡ଼ିବ ନାହିଁ। ସରକାର ଓଡ଼ିଶାର ବେଳାଭୂମି ଗୁଡ଼ିକୁ ଗୋଆ ଓ ବିଦେଶୀ ବେଳାଭୂମି ଶୈଳୀରେ ସେବା ଯୋଗାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗୋଆ ବେଳାଭୂମିରେ ପର‌୍ୟ୍ୟଟକମାନେ ମଦ୍ୟପାନ କରି ମସଗୁଲରେ ରହିଥାନ୍ତି। ସେଠାରେ ମଦ୍ୟପାନ ଯୋଗୁଁ ହିଂସାକାଣ୍ଡ ମଧ୍ୟ ଘଟୁଛି।

    ବେଳାଭୂମିରେ ଖୋଲିବ ମଦ ଦୋକାନ

    ରାଜ୍ୟର ୨୦ଟି ବେଳାଭୂମିରେ ମଦ ଦୋକାନ ଖୋଲିବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲା ରୁଜୁ କରାଇଛନ୍ତି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଆବେଦନରେ ଦର୍ଶାଇଛନ୍ତି ଯେ, ତାଳାସାରି ଉଦୟପୁର ଓ ଚାନ୍ଦିପୁର, ପାରାଦ୍ୱୀପ ଠାରେ ୩ଟି ଲେଖାଏ, ପୁରୀ କୋଣାର୍କ ବେଳାଭୂମି ଠାରେ ୫ଟି, ଗୋପାଳପୁର ଠାରେ ୫ଟି ଓ ପାତିସୋନେପୁର ଠାରେ ୨ଟି ମଦ ଦୋକାନ ଖୋଲିବା ପାଇଁ ପର‌୍ୟ୍ୟଟନ ବିଭାଗ ତରଫରୁ ସେପ୍ଟେଟର ୨୧ରେ ଟେଣ୍ଡର ଆହ୍ଵାନ କରାଯାଇଛି। ପୁରୀ କୋଣାର୍କ ବେଳାଭୂମି ମଦ ଦୋକାନ ପାଇଁ ଲାଇସେନ୍‌ସ ଫି ବାବଦକୁ ବାର୍ଷିକ ଦେଢ ଲକ୍ଷ, ଗୋପାଳପୁର ଲାଗି ୧ଲକ୍ଷ, ବାଲେଶ୍ୱର, ପାରାଦ୍ୱୀପ ଓ ପାତିସୋନପୁର ପାଇଁ ୭୫ହଜାର ଟଙ୍କା ଲେଖାଏ ଆଦାୟ କରାଯିବ। ପର‌୍ୟ୍ୟଟନ ବିଭାଗ ୟୁଜର ଫି ବାବଦକୁ ପ୍ରତ୍ୟେକ ମଦ ଦୋକାନରୁ ୧ଲକ୍ଷ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।  

    ନାରୀ ର୍ନିଯାତନା ବଢ଼ିବା ଆଶଙ୍କା

    ବେଳାଭୂମିରେ ମଦ ଦୋକାନ ଖୋଲିବା ଦ୍ବାରା ସରକାରଙ୍କୁ ରାଜସ୍ବ ମିଳିବ। ପର‌୍ୟ୍ୟଟକମାନେ ସୁବିଧାରେ ମଦ ପାଇପାରିବେ। କିନ୍ତୁ ଏହା ଦ୍ବାରା ନାରୀ ର୍ନିଯାତନା ଓ ଦୁଷ୍କର୍ମ ଭଳି ଅପରାଧିକ ଘଟଣା ବଢ଼ିବାର ଆଶଙ୍କା ରହିଛି। ମଦ  ଦୋକାନ ଖୋଲିବାକୁ ଅନୁମତି ମିଳିଲେ ଅପରାଧିକ ଘଟଣା ଅଧିକ ବଢିବା ଆଶଙ୍କା ରହିଛି। ଏହା ଦ୍ବାରା ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ନାଁରେ ପରୋକ୍ଷରେ ପର‌୍ୟ୍ୟଟନ ବ୍ୟବସାୟର କ୍ଷତି ସାଧନ ହେବ। ପର‌୍ୟ୍ୟଟକ ଓ ଜନସାଧାରଣ ସମୁଦ୍ର ବେଳାଭୂମିରେ ଅଧିକ ଅସୁରକ୍ଷିତ ହୋଇ ପଡିବେ।

    LEAVE A REPLY

    Please enter your comment!
    Please enter your name here