ମାଟିଦୀପ ଉପରେ ଚାଇନା ଲାଇଟ୍‌ର ରାଜ୍

    0
    324

    ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଖେଇ ଆସୁଛି। ଏଥି ପାଇଁ ଗାଁରୁ ସହର ଯାଏଁ ଉତ୍ସବମୁଖର ଦେଖାଯାଇଛି। କୋଭିଡ୍-୧୯ କାରଣରୁ ବିଗତ ୨ ବର୍ଷର ଦୀପାବଳି ଫିକା ପଡ଼ିଥିଲା। କଟକଣା ମଧ୍ୟରେ ଦୀପାବଳି ପାଳନ ହୋଇଥିଲା। ଏଥର କିନ୍ତୁ କରୋନା ସଂକ୍ରମଣର ପ୍ରଭାବ ନ ଥିବାରୁ ରାଜ୍ୟ ସରକାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଅନୁମତି ପ୍ରଦାନ କରିଛନ୍ତି। ଅନୁମତି ମିଳିଥିବାରୁ ବ୍ୟବସାୟୀମାନେ ମଧ୍ୟ ଉତ୍ସାହିତ ଦେଖାଯାଇଛନ୍ତି। କାରଣ ସେମାନେ ଭଲ ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି।
    ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯିବ। ଘରେ ଦୀପ ଜଳିବ। ଘର ବାହାରକୁ ଆଲୋକମାଳାରେ ସଜାଯିବ। ବୈଦ୍ୟୁତିକ ଲାଇଟ୍ ମାଳରେ ଦୂରରୁ ଘରଗୁଡ଼ିକ ଆଲୋକିତ ଦେଖାଯିବ। ରଂଗବେରଙ୍ଗର ଲାଇଟ୍ରେ ସହରଗୁଡ଼ିକ ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ଝଲସିବ। ଦୀପାବଳି ପାଇଁ ଲୋକେ ମହମବତୀ ଓ ଚାଇନା ଦୀପ କିଣିବା ଦ୍ବାରା କୁମ୍ଭାର ସଂପ୍ରଦାୟର ଆର୍ଥିକ କ୍ଷତି ହେଉଛି। କୁମ୍ଭାର ଜାତିର ବୃତ୍ତିଗତ୍ତ ତଥା କୂଳବେଉସା ବୁଡ଼ିଯାଉଛି। ଯଦି ଲୋକେ ମାଟିଦୀପ ପ୍ରତି ମୁହଁ ଫେରାଇବେ ତାହେଲେ ଆଗାମୀ ଦିନରେ ପରମ୍ପରା ପ୍ରତି ମଧ୍ୟ ବିପଦ ସାଜିବା ଆଶଙ୍କା କରାଯାଉଛି।

    ପରଂପରା ବଞ୍ଚାଇବା ପାଇଁ ଦରକାର ପୋତ୍ସାହନ

    ସଂପ୍ରତ୍ତି କିଛି ବର୍ଷ ହେଲା ବୈଦ୍ୟୁତିକ ଲାଇଟ୍ର ପ୍ରଭାବ ବଢ଼ିଛି। ମାଟି ଦୀପର ଚାହିଦା କମିବାରେ ଲାଗିଛି। ମାଟିଦୀପ କିଣିବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ପୂର୍ବ ଭଳି ଆଉ ଉତ୍ସାହ ନାହିଁ। ତେଣୁ ମାଟିଦୀପ ବ୍ୟବସାୟୀ ଏକ ପ୍ରକାରର ହାତ ବାନ୍ଧି ବସୁଛନ୍ତି। କରୋନା କଟକଣା ହଟିବାର ଦୁଇବର୍ଷ ପରେ ଏବର୍ଷ କୁମ୍ଭାର ସଂପ୍ରଦାୟ ମାଟିଦୀପ ବିକିବା ନେଇ ଯେଉଁ ଆଶା କରୁଥିଲେ ତାହା ପୂରା ହୋଇନାହିଁ। ମାଟିଦୀପର ଚାହିଦା ବଢ଼ାଇବା ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିପାରିଲେ ଭଲ। ଯେପରିକି ମିଶନ ଶକ୍ତି ମାଧ୍ୟମରେ କୁଟୀର ଶିଳ୍ପ ଓ ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛନ୍ତି। ମାଟିଦୀପ ପାଇଁ ମଧ୍ୟ କିଛି ବ୍ୟବସ୍ଥା କରିପାରିଲେ ଭଲ।

    ମାଟିଦୀପରୁ ମୁହଁ ଫେରାଉଛନ୍ତି ଗ୍ରାହକ

    ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ କୁମ୍ଭାର ସଂପ୍ରଦାୟର ଲୋକେ ଗତ ୪ମାସ ହେବ ଗାଁରୁ ବହୁ ଦୂରକୁ ଯାଇ ମାଟି ସଂଗ୍ରହ କରିଥିଲେ। ଭଳିକି ଭଳି ଏକ ଟଙ୍କାର ଦୀପ ଠାରୁ ଆରମ୍ଭ କରି ୨୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଆକାରର ଦୀପ ତିଆରି କରିଥିଲେ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଯେଉଁ ହିସାବରେ ବିକ୍ରି କରିବାକୁ ଆଶା ରଖିଥିଲେ, ତାହା ହୋଇପାରୁ ନାହିଁ। ବଜାରରେ ଚାଇନା ଦୀପ ଓ ମହମବତୀ ଲୋକେ କିଣି ନେବା ସହ ଅନଲାଇନରେ ବି ବରାଦି ଦେଉଥିବା ଦେଖିବାକୁ ମିଳିଛି। ଗ୍ରାହକ ମାଟିଦୀପକୁ କେବଳ ପରଂପରା ବଞ୍ଚାଇବା ପାଇଁ କମ ପରିମାଣରେ କିଣୁଥିବା ଦୃଷ୍ଟିଗୋଚର ହେଉଛି।

    ଚାଇନା ଲାଇଟ୍ ମୋହ

    ଲୋକେ ମାଟିଦୀପ ତୁଳନାରେ ମହମବତୀ ଓ ଚାଇନା ଲାଇଟ୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହାର କାରଣ ହେଲା ଯେ, ମାଟିଦୀପ ଜଳାଇବା ପାଇଁ ବଳିତା ଓ ତେଲ ଆବଶ୍ୟକ। ଜଣେ ଲୋକ ଯଦି ୧୦୦୦ ଟଙ୍କାର ଚାଇନା ଲାଇଟ୍ କିଣିବ, ତା’ହେଲେ ଘର ସଜେଇ ହୋଇଯିବ। ଦୀପାବଳି ଯଦିଓ ଗୋଟିଏ ଦିନ ପାଳନ ହେଉଛି, ତଥାପି ଜଣେ ବ୍ୟକ୍ତି ଏହି ଅବସରରେ ଲାଇଟ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ସଜାଇଲେ ମଧ୍ୟ କୌଣସି ଅସୁବିଧା ନାହିଁ। ଏହା ପୁଣି ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳିବ। କିନ୍ତୁ ଘର ସଜାଇବା ପାଇଁ ଯେତିକି ଚାଇନା ଲାଇଟ୍ ଦରକାର, ସେତିକି ସ୍ଥାନକୁ ମାଟିଦୀପରେ ସଜାଇବା ପାଇଁ ଅଧିକ ଖର୍ଚ୍ଚ ଦରକାର। ଅନ୍ୟପଟରେ ମାଟିଦୀପ କେବଳ ଚଟାଣରେ ଅଥବା ଘରର ପାଚେରୀ ଉପରେ ହିଁ ରଖିହେବ। ଚାଇନା ଲାଇଟ୍ ଭଳି ଝୁଲାଇକି ରଖିବା ସମ୍ଭବ ନୁହେଁ। ଏହି କାରଣରୁ ମଧ୍ୟ ଚାଇନା ଲାଇଟ୍ର ଲୋକପ୍ରିୟତା ବଢ଼ିଛି। ଫଳରେ ମାଟିଦୀପର ଚାହିଦା କମୁଛି। 

    LEAVE A REPLY

    Please enter your comment!
    Please enter your name here