ଫିକା ପଡ଼ିଲା ଦୋଳ ପର୍ବ, ନାହିଁ ପୂର୍ବ ଭଳି ଉତ୍ସାହ

    0
    688

    ଭୁବନେଶ୍ୱର: ବିନା ଭିଡ଼ରେ ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦୋଳ ପୂର୍ଣ୍ଣିମାରେ ଯେପରି ପ୍ରବଳ ଜନସମାଗମ ନହୁଏ, ସେଥିପାଇଁ ସରକାର ଜିଲ୍ଲାପାଳ, ମୁନିସିପାଲ କମିସନରଙ୍କୁ ଚିଠି ଲେଖିଛନ୍ତି। କୋଭିଡ-୧୯ ସଂକ୍ରମଣ ବଢ଼ିଥିବାରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ରାଜ୍ୟରେ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ମୋଟାମୋଟି ଭାବେ ଦୋଳ ପୂର୍ଣ୍ଣିମାରେ ‘ଦଳ’ ଅର୍ଥାତ ଭିଡ଼କୁ ମନା କରାଯାଇଛି। ଦୋଳ ପୂର୍ଣ୍ଣିମାରେ କେତେ ଜଣ ଲୋକ ଏକତ୍ର ହୋଇପାରିବେ ସେନେଇ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି।

    କରୋନା ଭାଇରସ୍‌ ସଂକ୍ରମଣ ପାଇଁ ରାଜ୍ୟ ସରକାର ଦୋଳଯାତ୍ରା ଓ ହୋଲି  ଉତ୍ସବ ପାଳନ ଉପରେ କଟକଣା ଲାଗୁ କରିଛନ୍ତି। ସେହି ହେତୁ  ଦୋଳଯାତ୍ରା ପାଇଁ ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ ଓ ସାଂସ୍କୃତିକ ସମାବେଶ ହୋଇ ପାରିବ ନାହିଁ। ଏ ନେଇ କିଛି ଦିନ ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶନାମାରେ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ  କୁହଯାଇଛି।  

    ମେଳଣରେ କରୋନା ବ୍ୟାପିବା ଆଶଙ୍କା

    କୋଭିଡ୍‌-୧୯ ସଂକ୍ରମଣର ଦ୍ଵିତୀୟ ଲହର ଦେଖାଯିବା ପରେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ, ମଧ୍ୟପ୍ରଦେଶ ଓ କେରଳରେ ସ୍ଥିତି ବିଗିଡ଼ିଛି। ମାଲକାନଗିରି ଓ ନବରଂଗପୁର ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି।  ତେଣୁ କୋଭିଡ୍‌ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ଦୋଳଯାତ୍ରାରେ ଲୋକମାନେ ଏକାଠି ହେବା ସହ ଉତ୍ସବ ପାଳନ କରନ୍ତି। ପରସ୍ପର ସହ ରଙ୍ଗ ଖେଳନ୍ତି। ତେଣୁ ଏଥିରେ ଶାରୀରିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ସମ୍ଭବପର ନୁହେଁ। ଏପରି କାର୍ଯ୍ୟକ୍ରମ ଦ୍ଵାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।

    ସୀମିତ ସଂଖ୍ୟକ ଲୋକରେ ଦୋଳ

    ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର କୌଣସି ସ୍ଥାନରେ ଦୋଳଯାତ୍ରା ପାଳନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ। କିନ୍ତୁ ମନ୍ଦିର ଭିତରେ କୋଭିଡ୍‌ ମାର୍ଗଦର୍ଶିକାକୁ ଅନୁସରଣ କରି ଧାର୍ମିକ ରୀତିନୀତି କରାଯାଇପାରିବ। କିନ୍ତୁ ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର୍‌ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ତେବେ ସୀମିତ ସଂଖ୍ୟକ ଲୋକ ‘ଦୋଳ ମେଲଣ’ରେ ଅଂଶଗ୍ରହଣ କରିବାର ନିୟମ ରହିଛି।

    ଦୋଳ ଶେଷ କରେ ମତଭେଦ

    ଦୋଳ ପୂର୍ଣ୍ଣିମା ଓଡ଼ିଶା ଅନ୍ୟତମ ପାରଂପରିକ ପର୍ବ। ଏହି ପର୍ବର ସାମାଜିକ ମୂଲ୍ୟବୋଧ ରହିଛି। ଏହି ପର୍ବ ମାଧ୍ୟମରେ ଗାଁ ଗଣ୍ଡାରେ ଥିବା ଗୋଷ୍ଠୀ ଗତ ବିବାଦ ମଧ୍ୟ ସମାଧାନ ହୋଇଥାଏ। ଦୁଇଟି ଗୋଷ୍ଠୀର ମନ ଏକ ହୋଇ ପୁଣି ମିଳିତ ଭାବେ ପର୍ବ ପାଳନ କରିବାରେ ସାହାୟକ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଦୋଳ ମେଳଣରେ ପ୍ରବଳ ଭିଡ଼କୁ ଅନୁମତି ଦେଇ ନାହାନ୍ତି ରାଜ୍ୟ ସରକାର। କିଛି ସ୍ଥାନରେ ମେଳଣ ପର୍ବରେ ସର୍ବାଧିକ ୧୦ ଜଣଙ୍କୁ ଅନୁମତି ମିଳିଛି।

    ଅପେରା-ମେଲୋଡିକୁ ନାଁ

    ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟର ଅନେକ ସ୍ଥାନରେ ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା, ମେଲୋଡ଼ି ଓ ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ କଟକଣା ଲାଗୁ ହୋଇଛି। ଚଳିତବର୍ଷ କେବଳ ଲୋକମାନେ ଠାକୁରଙ୍କୁ ଅବିର ଦେବାର ନିୟମ ରହିଛି। ପୂରା ନିରାଡ଼ମ୍ବର ସହକାରେ ଦୋଳ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ରାଜ୍ୟର କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବିଶ୍ୱଶାନ୍ତି ନାମଯଜ୍ଞ କରାଯାଉଥିବା ପରିଲକ୍ଷିତ ହେଉଛି। 

    LEAVE A REPLY

    Please enter your comment!
    Please enter your name here