ପିପିଲି ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ନେତା

    0
    622

    ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ବିଗୁଲ ବାଜିଛି। ଆସନ୍ତା ଏପ୍ରିଲ ୧୭ରେ ଏଠାରେ ଉପର୍ନିବାଚନ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ଲାଗି  ନାମାଙ୍କନ ଦାଖଲର ଶେଷ ତାରିଖ ଚଳିତ ମାସ ୩୦ ରଖାଯାଇଛି। ପ୍ରାର୍ଥୀମାନଙ୍କର ନାମାଙ୍କନଗୁଡ଼ିକ ଯାଂଚ ଚଳିତ ମାସ ୩୧ ତାରିଖରେ କରାଯିବ। ପ୍ରାର୍ଥୀମାନେ ଏପ୍ରିଲ ୩ ତାରିଖରେ ନାମାଙ୍କନ ପ୍ରତ୍ୟାହାରର କରିପାରିବେ। କୋଭିଡ୍‌ କଟକଣା ମଧ୍ୟରେ ଭୋଟ ଗ୍ରହଣ କରାଯିବ ଏବଂ ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

    ସ୍ୱର୍ଗତଃ ବିଧାୟକ ପ୍ରଦୀପ ମହରାଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିଲା। ଏହି ନିର୍ବାଚନ ମଣ୍ଡଳୀକୁ ଅକ୍ତିଆର କରିବା ପାଇଁ ରାଜ୍ୟର ତିନିଟି ମୁଖ୍ୟ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ଗୋଟି ଚଳାଉଛନ୍ତି। ତେବେ ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ରାଜନେତାମାନେ ଦୁର୍ଗ ଗଢ଼ିବା ଲାଗିବାରେ ବ୍ୟସ୍ତ ହୋଇପଡ଼ିଛନ୍ତି।  

    ନିର୍ବାଚନ କମିସନ ମତଦାନ ତାରିଖ ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ରୁଦ୍ଧଦ୍ୱାର ବୈଠକ କରିଛି। ବୈଠକରେ ପିପିଲି ଉପନିର୍ବାଚନରେ ରଣନୀତି ନେଇ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ସଂପାଦିକା ଲେଖାଶ୍ରୀ ସାମନ୍ତସିହାଂର, ପୁରୀ ଜିଲ୍ଲା ବିଜେପି ସଭାପତିଙ୍କ ସହ ପୁରୀ ଓ ବ୍ରହ୍ମଗିରି ବିଧାୟକ ଉପସ୍ଥିତ ଥିଲେ। 

    କଂଗ୍ରେସ କରୁଛି ରଣନୀତି

    ପିପିଲିକୁ ଦଖଲ କରିବା ଲାଗି କଂଗ୍ରେସ ମଧ୍ୟ ରଣନୀତି ଆରମ୍ଭ କରିଦେଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସ ନେତାମାନେ ଏକତ୍ର ହୋଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ନେତାଙ୍କୁ ଏକତା ସୂତ୍ରରେ ବାନ୍ଧି ହେବାକୁ ଉଦ୍ୟମ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ୱାଳ କହିଥିଲେ, ଦଳ ସଂଗଠିତ ଭାବେ ଲଢ଼େଇ କରିବ । ଏନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ରଣନୀତି ପ୍ରସ୍ତୁତ କରିବେ । ପିପିଲି ନିର୍ବାଚନରେ କଂଗ୍ରେସ ନୂଆଁ ପ୍ରାର୍ଥୀଙ୍କୁ ଛିଡ଼ା କରିପାରେ ।

    ପୁଣି ଫେରିବାକୁ ବିଜେଡି ପ୍ରସ୍ତୁତ

    ଶାସକ ବିଜେଡ଼ି ଦଳ ପୁଣି ଥରେ ପିପିଲିକୁ ନିଜ ଦଖଲରେ ଆଣିବାକୁ ପ୍ରସ୍ତୁତ ହୋଇଛି । ନିଜର ସମର୍ଥକଙ୍କୁ ବାନ୍ଧି ରଖିବା ପାଇଁ ବିଜେଡି ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ଦିନ ପୂର୍ବରୁ ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିସାରିଛି । ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ପରେ ପ୍ରତାପ ଦେବ କହିଥିଲେ ଯେ, ଉପନିର୍ବାଚନକୁ ବିଜେଡି ଅଧିକ ଗୁରୁତ୍ୱ ଦେଇଥାଏ । ବିଜେଡି ଏଥର ପିପିଲିରେ କାହାକୁ ପ୍ରାର୍ଥୀ କରିବ ଯଦିଓ ତାହା ଘୋଷଣା ହୋଇନାହିଁ, ତଥାପି ସ୍ୱର୍ଗତଃ ପ୍ରଦୀପ ମହରଥୀଙ୍କ ପରିବାରରୁ କେହି ଜଣେ ନିର୍ବାଚନ ପଡ଼ିଆକୁ ଓହ୍ଲାଇପାରନ୍ତି ।

    ପିପିଲିକୁ ୬୮ କୋଟି ଟଙ୍କାର ପ୍ୟାକେଜ

    ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ନେତାମାନେ ଅନେକ ଦିନରୁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି । ନେତାମାନେ ଗୁପ୍ତ ଭାବରେ ପ୍ରଚାର କରୁଛନ୍ତି । ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ କିଏ କେଉଁ କାମ କରି ଖୁବ ଶୀଘ୍ର ଏହା ନିଷ୍ପତ୍ତି ହେବ । ଅନ୍ୟପଟରେ ପିପିଲର ଜନତାଙ୍କୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୬୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।  

    LEAVE A REPLY

    Please enter your comment!
    Please enter your name here