ଦେଶର ୧୭୩ ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସି ସଂପ୍ରସାରିତ ହେବ

0
777

ନୂଆଦିଲ୍ଲୀ: ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସିର) ଏକ ବୃହତ୍‌ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ସିସିର ଏହି ସଂପ୍ରସାରଣ ସଂପର୍କରେ ସୂଚନା ଦେଇଥିଲେ।

ଏହି ସଂପ୍ରସାରିତ ଯୋଜନା ଅନୁସାରେ ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାରୁ ଏକ ଲକ୍ଷ କ୍ୟାଡଟଙ୍କୁ ଏନ୍‌ସିସିରେ ଭର୍ତ୍ତି କରାଯିବ। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ ରହିବେ। ଏହିସବୁ ଜିଲ୍ଲାଗୁଡିକରେ ଏକ ହଜାରରୁ ଅଧିକ ସ୍କୁଲ ଓ କଲେଜକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏହିସବୁ ଶିକ୍ଷାନୁଷ୍ଠାନରେ ଏନ୍‌ସିସି ଆରମ୍ଭ କରାଯିବ। ଯୋଜନା ଅନୁସାରେ ବର୍ତ୍ତମାନର ୮୩ଟି ଏନ୍‌ସିସି ୟୁନିଟ ଉନ୍ନୀତ ହେବ। ସେଥିମଧ୍ୟରେ ସ୍ଥଳବାହିନୀର ୫୩, ନୌବାହିନୀର ୨୦ ଓ ବିମାନ ବାହିନୀର ୧୦ଟି ଲେଖାଏଁ ୟୁନିଟ ଅନ୍ତର୍ଭୁକ୍ତ। ଏହିସବୁ ୟୁନିଟ ସଂପୃକ୍ତ ସୀମାବର୍ତ୍ତୀ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍‌ସିସି ତାଲିମ ପ୍ରଦାନ କରିବେ।

ସ୍ଥଳସେନା ପକ୍ଷରୁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍‌ସିସି ୟୁନିଟଗୁଡିକୁ ତାଲିମ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ। ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ନୌବାହିନୀ ପକ୍ଷରୁ ସଂପୃକ୍ତ ଏନ୍‌ସିସି ୟୁନିଟକୁ ସହାୟତା ଯୋଗାଇ ଦିଆଯିବ। ଯେଉଁ ଏନ୍‌ସିସି ୟୁନିଟଗୁଡିକ ବାୟୁସେନା ଘାଟିର ଆଖପାଖରେ ଥିବେ ସେଗୁଡିକୁ ବାୟୁସେନା ପକ୍ଷରୁ ସହାୟତା ପ୍ରଦାନ କରାଯିବ।

ଏହା ଫଳରେ ଦେଶର ସୀମାନ୍ତ ଓ ତଟବର୍ତ୍ତୀ ଇଲାକାର ଯୁବକ ଯୁବତୀମାନେ ସାମରିକ ତାଲିମ ପାଇବାର ସୁଯୋଗ ପାଇବେ ଏବଂ ଏକ ଶୃଙ୍ଖଳିତ ଜୀବନଯାପନରେ ଏହା ସେମାନଙ୍କ ପାଇଁ ସହାୟକ ହେବ। ପ୍ରତିରକ୍ଷା ବାହିନୀରେ ଯୋଗଦେବାକୁ ଏହି ତାଲିମ ସେମାନଙ୍କୁ ଅନୁପ୍ରାଣିତ କରିବ। ରାଜ୍ୟଗୁଡିକ ସହ ଅଂଶୀଦାର ଭିତ୍ତିରେ ଏନ୍‌ସିସିର ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ ହେବ।

LEAVE A REPLY

Please enter your comment!
Please enter your name here