ଦାଖଲ ହେଲାନି ୪୦୦୦ ନାମାଙ୍କନ, ଆମେ କେତେ ବିକଶିତ?

    0
    374

    ଭୁବନେଶ୍ୱର: ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେଉଁଠି ନିର୍ବାଚନ ତାରିଖ ଘୋଷଣା ହେବାର ବହୁଦିନ ପୂର୍ବରୁ ନେତାମାନେ ଗୋଡ଼ ଟେକି ଛିଡ଼ା ଥାଆନ୍ତି, ସେଠାରେ ନାମାଙ୍କନ ହୋଇ ନପାରିବା ଠାରୁ ଦୁର୍ଭାଗ୍ୟର ବିଷୟ ଆଉ କ’ଣ ହୋଇପାରେ। ଚଳିତ ପଞ୍ଚାୟତ ନିର୍ବାଚନରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ଜୋରଦାର ଚାଲିଥିବା ବେଳେ ହଜାର ହଜାର ସ୍ଥାନରେ ତୃଣମୂଳ ସ୍ତରର ନେତାମାନେ ଚୁପ୍‌ଚାପ ବସିଛନ୍ତି। ଏହାର ମୂୂଳ କାରଣ ହେଲା ଅସନ୍ତୋଷ। ନିର୍ବାଚନ ପାଇଁ ଗତ ୨୧ ତାରିଖ ନାମାଙ୍କନର ଅନ୍ତିମ ଦିନ ଥିବା ବେଳେ ପ୍ରାୟ ୪୦୦୦ ସ୍ଥାନରେ ନାମାଙ୍କନ ଦାଖଲ ହୋଇପାର ନାହିଁ।

    ତେବେ ନିର୍ବାଚନ ପାଇଁ ନାମାଙ୍କନ ହୋଇ ନପାରିବା ଦୁର୍ଭାଗ୍ୟର ବିଷୟ। ପ୍ରାୟ ବର୍ଷେ ହେଲା ରାଜ୍ୟର ଏକାଧିକ ସ୍ଥାନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇ ଚେତାବନୀ ଆସିଛି। ସରକାର ଏହାକୁ ଖାତିର କରି ନଥିଲେ। ଯେଉଁ ସ୍ଥାନରେ ଲୋକେ ଭୋଟ ଦେବାକୁ ଚାହୁଁ ନାହାନ୍ତି ତଥା ନିର୍ବାଚନକୁ ଗ୍ରହଣ କରୁ ନାହାନ୍ତି, ସେଠିକାର ସ୍ଥିତି ଉପରେ ସରକାର ଅବଗତ ହେବା ଦରକାର ଥିଲା। ସରକାରଙ୍କୁ ଟିକିଏ ଚିନ୍ତା କରିବା ଦରକାର ଯେ, ୨୦ ବର୍ଷର ଶାସନ କାଳରେ ଆମେ ବାସ୍ତବରେ କେତେ ବିକାଶମୂଳକ କାମ କରିପାରିଛୁ। ଲୋକେ ସରକାରଙ୍କୁ ଠାରୁ କେତେ ଉପକାର ପାଉଛନ୍ତି। କେମିତି ପାଉଛନ୍ତି। ଯେଉଁଠାରେ ଏହି ବିରୋଧାଭାସ ଦେଖାଯାଉଛି, ସେଠାକାର ଲୋକଙ୍କ କେତେ ଭଲ ସଡ଼କ ନିର୍ମାଣ ହୋଇଛି। କେତେ କିମି ଦୂର ଚାଲି ଚାଲି ଗଲେ ଟଙ୍କିକିଆ ଚାଉଳ ମିଳୁଛି। ଜଣେ ଗର୍ଭବତୀଙ୍କୁ କେତେ କିଲୋମିଟର ଖଟିଆରେ ବୁହା ହେଉଛି। ଖରାଦିନ ଆସିଲେ ଲୋକେ ପାଇପ୍‌ ପାଣି ପାଉଛନ୍ତିକି ନାହିଁ। ଏସବୁ ଦିଗରେ ଚିନ୍ତା କରିବାର ଥିଲା।

    ଦୁର୍ଗମ ଅଞ୍ଚଳ ସର୍ଭେରେ କେବେ ହେବ ସାମିଲ?

    ଜାତୀୟ ସ୍ତରୀୟ ସର୍ଭେରେ ଆମ ରାଜ୍ୟ ସରକାର ବହୁତ ପ୍ରଶସିଂତ ହୁଅନ୍ତି। ସମ୍ମାନ ଓ ପୁରସ୍କାର ପାଇଥାନ୍ତି। କିନ୍ତୁ ସେହି ସର୍ଭେ ଗୁଡ଼ିକ ବୋଧେ ଶିକ୍ଷା, ସ୍ୱାସ୍ଥ୍ୟ, ଗମାନଗମନ, ଯୋଗାଯୋଗ ନଥିବା ଅଞ୍ଚଳର ଲୋକଙ୍କୁ ନେଇ ହୋଇ ନଥାଏ। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ କରାଗଲେ ଆମେ କେତେ ବିକଶିତ କୁହାଯାଇ ପାରିବ। ଆଜି ଯେଉଁ ୪ ହଜାରରୁ ଊର୍ଦ୍ଧ୍ୱ ସ୍ଥାନରେ ନାମାଙ୍କନ ଦାଖଲ ହୋଇପାରି ନାହିଁ, ସେହି ସବୁ ସ୍ଥାନ ଗୁଡ଼ିକରେ ବହୁ ବ୍ୟାପକ ଅସୁବିଧା ରହିଛି। ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁ ନାହିଁ। ଦେଶ ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ପରେ ମଧ୍ୟ ଲୋକଙ୍କୁ ତାଙ୍କର ଅଧିକାର ମିଳି ନପାରିବା ଦୁର୍ଭାଗ୍ୟ କୁହାଯିବନି କି? ସେଥି ପାଇଁ ଲୋକେ ଗଣତନ୍ତ୍ର ଉପରେ ଅସନ୍ତୋଷ ଅଛନ୍ତି। ଲୋକଙ୍କୁ ବୁଝାଇବା ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ କରୁଛି।

    ସରକାର ଚୟନ କରିବେ କି ପ୍ରାର୍ଥୀ?

    ଅନ୍ୟପଟରେ ପଞ୍ଚାୟତ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ହୋଇନଥିବା ଓ ନାକଚ ହୋଇଥିବା ସ୍ଥାନରେ ପ୍ରାର୍ଥୀଙ୍କୁ ଦ୍ୱିତୀୟ ଥର ପାଇଁ ସୁଯୋଗ ମିଳିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। ତାଙ୍କ କହିବା ଅନୁସାରେ ରାଜ୍ୟର ୪ ହଜାରରୁ ଅଧିକ ସ୍ଥାନରେ ଓ୍ଵାର୍ଡମେମ୍ବର ପାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। କେତେକ ସ୍ଥାନରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ନାମାଙ୍କନପତ୍ର ଦାଖଲ ହୋଇନାହିଁ ଅଥବା ନାକଚ ହୋଇଛି। ତେଣୁ ଏହି ସ୍ଥାନରେ ମଧ୍ୟ ପ୍ରାର୍ଥୀଙ୍କୁ ପୁଣିଥରେ ନାମାଙ୍କନ ପାଇଁ ସୁଯୋଗ ମିଳିବ। ଏଭଳି ସ୍ଥାନ ଗୁଡ଼ିକରେ ନାମାଙ୍କନ ଦାଖଲ କରିବା ପାଇଁ ଆସନ୍ତା ୨୭ ତାରିଖରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ପ୍ରାର୍ଥୀ ମାନେ ଓ ୨୯ରୁ ୩୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ଏହାପରେ ମଧ୍ୟ ଯଦି କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ନ କରନ୍ତି ତେବେ ଆଉ ସୁଯୋଗ ମିଳିବ ନାହିଁ। ସରକାର ଏହି ସ୍ଥାନ ଗୁଡ଼ିକରେ ଚୟନ ମାଧ୍ୟମରେ ସ୍ଥାନୀୟ ଜନପ୍ରତିନିଧି ବାଛିପାରନ୍ତି।

    LEAVE A REPLY

    Please enter your comment!
    Please enter your name here