ଦଳୀୟ ଟିକେ୍‌ଟ ନମିଳିଲେ ବିଦ୍ରୋହ!

0
285

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଅଳ୍ପ କିଛିଦିନ ମଧ୍ୟରେ ତାରିଖ ଘୋଷଣା ହୋଇଯିବ। ଦେଶବ୍ୟାପୀ ଲୋକସଭା ପାଇଁ ନିର୍ବାଚନ ହେବ। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଥିବାରୁ ଓଡ଼ିଆ ଲୋକଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଏଥି ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ତେବେ ଏହା ପୂର୍ବରୁ ସରକାର ଓ ନେତାମାନେ ନିଜନିଜ କ୍ଷେତ୍ର ମଜବୁତ କରିବାରେ ବ୍ୟସ୍ତ ଦେଖାଯାଉଛନ୍ତି। ରାଜ୍ୟ ସରକାର ମାଗଣା ଯୋଜନାରେ ହିତାଧିକାରୀ ଓ କର୍ମଚାରୀଙ୍କୁ ସ୍ବାତନ୍ତା ଦେବା ପାଇଁ ଦରମା ବୃଦ୍ଧି କରିଚାଲିଛନ୍ତି। ସେହିପରି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାରେ ବ୍ୟସ୍ତ ଅଛନ୍ତି।

ବିଜେଡି କର୍ମଚାରୀମାନେ ଦଳୀୟ ଟିକେଟ୍‌ ହାସଲ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଅଣ୍ଟା ଭିଡିଛନ୍ତି। ବିଜେପି ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରି କ୍ଷମତାକୁ ଆସିବ ବୋଲି ଦାବି କରୁଛି। କିଛି ଦିନ ହେଲା ରାଜ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ଦଳୀୟ ଟିକେଟ ମିଳିବା ଆଶା ମଉଳିବା ପରେ ନେତାମାନେ ଶେଷରେ ଉପାୟ ଶୂନ୍ୟ ହୋଇ ଅନ୍ୟଦଳର ଆଶ୍ରୟ ନେଉଛନ୍ତି। କିଛି ଦିନ ପୂର୍ବରୁ ବିଜେଡି ସାଂଗଠନିକ ସଂପାଦକ ସାମାଜିକ ଗଣମାଧ୍ୟମ ଜରିଆରେ ଦାବି କରିଥିଲେ ଯେ, ଦଳୀୟ ଟିକେଟ ପାଇଁ ୧୦,୦୦୦ ଆଶାୟୀ ଅଛନ୍ତି। ଯଦିଓ ସେ ତାଲିକାକୁ ସର୍ବସାଧାରଣ କରି ନାହାନ୍ତି, ସେହି ହେତୁ କଥା ଯଦି ସତ ହୋଇଥାଏ ତା’ହେଲେ ବିଜେଡି ଫାଳଫାଳ ହୋଇଯିବା ଆଶଙ୍କା ରହୁଛି।

ଫାଳଫାଳ ହୋଇଯିବ ବିଜେଡି!

ଓଡ଼ିଶା ବିଧାନସଭା ୧୪୭ଟି ଆସନକୁ ନେଇ ଗଠିତ। ରାଜ୍ୟରେ ବିଜେଡି ୨୪ ବର୍ଷ ହେଲା କ୍ଷମତାରେ ରହିଥିବାରୁ ଦଳୀୟ କର୍ମଚାରୀଙ୍କ ସଂଖ୍ୟା ଦୀର୍ଘ। ସେହି ଆଧାରରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ମଧ୍ୟ କମ୍‌ନୁହେଁ। ପ୍ରଣବ ଦାସଙ୍କ କହିବା ଅନୁସାରେ ଯଦି ଦଳରେ ୧୦୦୦୦ ଆଶାୟୀ ଅଛନ୍ତି, ସେଥିରୁ ୧୪୪ ବିଧାୟକ ଓ ୨୧ ଜଣ ସାଂସଦ ପାଇଁ ଟିକେଟ ମିଳିବ। ଅର୍ଥାତ ବିଜେଡି ୧୬୫ ଲୋକଙ୍କୁ ସନ୍ତୁଷ୍ଟ କରିବ। ତା’ହେଲେ ୯୮୩୫ ନେତାଙ୍କୁ କେମିତି ସନ୍ତୁଷ୍ଟ କରିବ। ଆଉ ଏତେ ନେତା ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ମାନିବେ ବୋଲି ଆଶା କରାଯାଉଛି। ଅବଶ୍ୟ କିଛିଟା ନେତା ଦଳ ବିରୋଧରେ ଯାଇ ନପାରନ୍ତି। କିନ୍ତୁ ଯାହା ଆଶା କରାଯାଉଛି ହଜାର ହଜାର ବିଜେଡି ନେତା ବିଦ୍ରୋହୀ ହୋଇପାରନ୍ତି।

ବିଜେଡି ଛାଡ଼ି ବିଜେପିରେ

ରାଜ୍ୟରେ କଂଗ୍ରେସର ସ୍ଥିତି ସେତେଟା ଭଲ ନାହିଁ। ତେଣୁ ଦଳୀୟ ଟିକେଟ ମିଳିବା ଆଶାକ୍ଷୀଣ ହେଉଥିବା ବିଜେଡି ନେତାମାନେ ବାଧ୍ୟ ହୋଇ ଶେଷରେ ବିଜେପିରେ ସାମିଲ ହେଉଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ସାରସକଣା ବିଧାୟକ ଭାଦବ ହାଂସଦା ହେଉଛନ୍ତି ଏହାର ଜ୍ବଳନ୍ତ ଉଦହାରଣ। କେବଳ ଏତିକି ନୁହେଁ ବିଜେଡିରେ ଏବେ ଗୋଷ୍ଠୀ କନ୍ଦଳ ଦେଖାଯାଉଛି। ଆଗାମୀ ଦିନରେ ଆହୁରି ଅନେକ ବିଜେଡି ନେତା ବିଜେପିରେ ଯୋଗ ଦେବାର ଆଶଙ୍କା ଦେଖାଯାଉଛି। କିଛି ବିଜେଡି ନେତାଙ୍କ କହିବାର ହେଲା ଯେ, ଦଳ ଉପର ସ୍ତରରେ ବିଜେପିକୁ ସମର୍ଥନ ଦେଉଛି। ତେଣୁ ଭାୟା ମାଧ୍ୟମରେ ବିଜେପିକୁ ସମର୍ଥନ ନଜଣାଇ ସିଧାସଳଖ କାହିଁକି ବିଜେପିକୁ ସମର୍ଥନ ନଦେବା।

ଖଲ୍ଲିକୋଟରେ ବିଧାୟିକାଙ୍କୁ ଚେତାବନୀ

ନିର୍ବାଚନ ପୂର୍ବରୁ ବିଜେଡି ଡଙ୍ଗା ଟଳମଳ ହୋଇଛି। ଶାସକ ଦଳର ଅନ୍ତଃକନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ୁଛି କହିଲେ କିଛି ଭୁଲ ହେବନାହିଁ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଥିଲା। ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ସ୍ବରୋତ୍ତୋଳନ କରିବା ସହ ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ଓ ଜୟ ନବୀନ, ଜୟ ରାଣୀମା’ ସ୍ଲୋଗାନ୍ ଲେଖାଯାଇଥିବା ପୋଷ୍ଟର ଓ ବ୍ୟାନର୍ ସହ ଖଲ୍ଲିକୋଟ ସ୍ଥିତ ଗୁରାପଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଏଥିରେ ପୁରୁଷୋତ୍ତମପୁର ଏନ୍‌ଏସି ଓ ବ୍ଲକ୍‌ର କିଛି ନେତା ସାମିଲ ହୋଇଥିଲେ। ଖଲ୍ଲିକୋଟ ବିଧାନସଭା ଆସନ ଟିକେଟ ପାଇଁ ବର୍ତ୍ତମାନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ଏନ୍‌ଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଜଣେ ପୂର୍ବତନ ବିଧାୟକ ବିଜେଡି ଛାଡ଼ି ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି। ଯାହାକି ରାଜନୈତିକ ପାଣିପାଗକୁ ସରଗରମ କରିଛି।

LEAVE A REPLY

Please enter your comment!
Please enter your name here