ଗଣେଶଙ୍କୁ ପ୍ରତିଷ୍ଠାର ୧୦ ଦିନ ପରେ ବିସର୍ଜନ କରାଯାଏ କାହିଁକି ?

    0
    347

    ଭୁବନେଶ୍ବର: ବିଦ୍ୟାଦାତା ଗଣେଶଙ୍କୁ ସର୍ବସାଧାରଣ ସ୍ଥଳୀରେ ପୂଜା କରିବାର ସମୟ ଆସିଛି। ଯଦି ଭଗବାନ ଗଣେଶଙ୍କୁ ପ୍ରତ୍ୟେକ  ପୂଜାକର୍ମରେ ପ୍ରଥମେ ଆବାହନ କରାଯାଇଥାଏ, ତଥାପି ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଯେଭଳି ଭାବେ ଆୟୋଜନ କରାଯାଏ, ତାହା ଅତ୍ୟନ୍ତ ସୁନ୍ଦର। ଗାଁରୁ ସହର ଓ ବିଦ୍ୟାଳୟ ଠାରୁ ଆରମ୍ଭ କରି କ୍ଲବ ଘର ପର୍ଯ୍ୟନ୍ତ ଚାରିଆଡେ ଉତ୍ସବର ମାହୋଲ ଦେଖାଯାଇଥାଏ। ଗଣେଶ ପୂଜାକୁ ନେଇ ଯୁବପୀଢ଼ିଙ୍କ ମନରେ ଭିନ୍ନ ପ୍ରକାରର ଉତ୍ସାହ ଦେଖାଯାଇଥାଏ। ଗଣେଶ ପୂଜାର ଅବ୍ୟବହିତ ପୂର୍ବରୁ ବିସର୍ଜନ ଯାଏଁ ପିଲାଙ୍କ ଠାରୁ ଯୁବକ ଯାଏଁ ଉତ୍ସାହିତ ଥାଆନ୍ତି।
    ଚଳିତ ବର୍ଷର ଗଣେଶ ପୂଜା ପୂର୍ବ ତୁଳନାରେ ସ୍ବତନ୍ତ୍ର। କାରଣ ବିଗତ ୨ ବର୍ଷ ହେଲା ଗଣେଶ ପୂଜାକୁ ସର୍ବସାଧାରଣ ସ୍ଥଳୀରେ ବାରଣ କରାଯାଇଥିଲା। କୋଭିଡ-୧୯ କଟକଣା କାରଣରୁ ବିଦ୍ୟାଳୟ, କ୍ଲବ ଘରରେ ଗଣେଶ ପୂଜାକୁ ସରକାର ବାରଣ କରିଥିଲେ। ଯଦିଓ କିଛି ସ୍ଥାନରେ ଗଣେଶ ପୂଜାର୍ଚ୍ଚନା ହୋଇଥିଲା, ତାହା କଟକଣାରେ ସୀମିତ ଥିଲା। କ୍ଲବ ଗୁଡ଼ିକରେ ଗଣେଶ ପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ମୂର୍ତ୍ତିର ଉଚ୍ଚତା ହ୍ରାସ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସେହିପରି ବିନା ଡିଜେ, ବାଜା, ବାଣରେ ଠାକୁରଙ୍କୁ ଭସାଣୀରେ ନିଆଯାଇଥିଲା।

    ଏଥର ଧୂମଧାମରେ ଗଣେଶ ପୂଜା

    ଚଳିତ ଥର ଗଣେଶ ପୂଜାରେ କୌଣସି କଟକଣା ନାହିଁ। ଅଗଷ୍ଟ ୩୧ ତାରିଖରେ ଗଣେଶଙ୍କ ପୂଜା ହେବ। ଯଦିଓ ଅସୁବିଧା ତଥା ଅନ୍ୟ କାରଣରୁ ବିଦ୍ୟାଳୟ ଓ କ୍ଲବ ଗୁଡ଼କରେ ପୂଜା ପରେ ଦିନେ ଦୁଇଦିନରେ ମୂର୍ତ୍ତି ବିସର୍ଜନ କରି ଦିଆଯାଇଥାଏ କିନ୍ତୁ ଭଗବାନ ଗଣେଶ ମୂର୍ତ୍ତିକୁ ୧୦ ଦିନ ପରେ ବିସର୍ଜନ କରିବାର ବିଧି ରହିଛି। ମହାରାଷ୍ଟ୍ର ଗଣେଶ ପୂଜା ପାଇଁ ପ୍ରିସିଦ୍ଧି ଲାଭ କରିଛି। ଏତଦ ବ୍ୟତୀତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଗଣେଶ ପୂଜାକୁ ଧୂମଧାମରେ ପାଳନ କରାଯାଇଥାଏ। ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀରେ ଆକର୍ଷଣୀୟ ଭାବେ ଗଣେଶ ପୂଜା ହୋଇଥାଏ। ତେବେ ଅନେକଙ୍କୁ ଜଣା ନ ଥିବ ଯେ, ଗଣପତିଙ୍କ ବିସର୍ଜନ ୧୦ ଦିନ ପରେ କରାଯିବାର ନିୟମ ରହିଛି। ଏହାର କାରଣ ମହାଭାରତ ସହିତ ସଂପୃକ୍ତ।

    ଗଣେଶ ଲେଖିଲେ ମହାଭାରତ

    କୁହାଯାଇଥାଏ ଯେ, ଭାଦ୍ରବ ମାସର ଶୁକ୍ଲପକ୍ଷର ଚତୁର୍ଥୀ ଦିନରେ ଗଣେଶଙ୍କ ଜନ୍ମ ହୋଇଥିଲା। ପୁରାଣରେ ବର୍ଣ୍ଣିତ ହୋଇଛି ଯେ, ଭଗବାନ ଗଣେଶ ଚତୁର୍ଥୀ ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ମହର୍ଷି ବେଦବ୍ୟାସ ମହାଭାରତର ରଚନା ପାଇଁ ଗଣେଶଙ୍କୁ ଲିପିବନ୍ଧ କରିବାକୁ ପ୍ରାର୍ଥନା କରିଥିଲେ ଏବଂ ଗଣେଶ କହିଥିଲେ ଯେ, ସେ ଯଦି ଲେଖିବା ଆରମ୍ଭ କରିବେ କଲମ ବନ୍ଦ ହେବ ନାହିଁ। ସେହି ସମୟରେ ବେଦବ୍ୟାସ କହିଥିଲେ ଯେ, ଭଗବାନ ଆପଣ ବିଦ୍ବାନମାନଙ୍କ ଠାରୁ ବହୁ ଆଗରେ। ମୁଁ ଜଣେ ସାଧାରଣ ଋଷି। ଯଦି ଶ୍ଲୋକରେ ମୋର ଯଦି କିଛି ଭୁଲ ହୋଇଯାଏ, ଆପଣ ଏହାକୁ ଠିକ କରନ୍ତୁ। ଏହି ଭଳି ଭାବେ ମହାଭାରତ ଲେଖାଯାଇଥିଲା। ଲଗାତାର ୧୦ ଦିନ ଯାଏଁ ଏମିତି ଲେଖା ଚାଲିଥିଲା।

    ସରସ୍ବତୀ ନଦୀରେ ଗଣେଶଙ୍କ ସ୍ନାନ

    ଅନନ୍ତ ଚତୁର୍ଦ୍ଦଶୀ ଦିନ ଯେତେବେଳେ ମହାଭାରତର ଲେଖନ କାମ ପୂରା ହୋଇଥିଲା, ଗଣେଶଙ୍କ ଶରୀରରେ ଧୂଳି ଲାଗିସାରିଥିଲା। ତାଙ୍କ ଶରୀରରେ ଧୂଳି ଓ ମାଟି ଲାଗିଯାଇଥିଲା। ଗଣେଶ ସେହି ସମୟରେ ସରସ୍ବତୀ ନଦୀରେ ସ୍ନାନ କରି ଦେହ ସଫା କରିଥିଲେ। ଏଥି ପାଇଁ ଗଣପତି ପ୍ରତିଷ୍ଠାର ୧୦ ଦିନ ପରେ ବିସର୍ଜନ କରାଯାଇଥାଏ। ଗଣେଶୋତ୍ସବକୁ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଯଦି ଦେଖାଯିବ ଏହି ୧୦ ଦିନ ଆମେ ସଂଯମରେ ରହିବା ଏବଂ ଆମର ମନ-ଆତ୍ମା ଉପରେ ଥିବା ମଇଳାକୁ ହଟାଇ ସ୍ବଚ୍ଛ କରିବାର ସମୟ। ଏହି ସମୟରେ ବ୍ୟକ୍ତିକୁ ନିଜର ଅବଲୋକନ କରି ପୂରା ଧ୍ୟାନ ଗଣେଶଙ୍କ ଭକ୍ତି ଲଗାଇବାର ଦରକାର ଅଛି।

    LEAVE A REPLY

    Please enter your comment!
    Please enter your name here