କେଉଁଠି କେମିତି ଦୁର୍ଗାପୂଜା ଆୟୋଜନ

    0
    432

    ଭୁବନେଶ୍ୱର(ଲିପିକା ପ୍ରଧାନ): ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଛି। ଧରାପୃଷ୍ଠକୁ ଜଗତ୍‌ ଜନନୀ ମା’ ଦୁର୍ଗା ଅବତରଣ କରିଛନ୍ତି। ଶରତ ଋତୁର ପରିବେଶ ଧରାପୃଷ୍ଠକୁ ନୂଆ ବାର୍ତ୍ତା ଦେଇଛି। ଆସନ୍ତା ୧୫ ତାରିଖରେ ସମଗ୍ର ଦେଶରେ ଦଶହରା ପର୍ବ ପାଳନ ହେଉଛି। କିନ୍ତୁ ବିଗତ ୨ ବର୍ଷ ହେବ ଦଶହରା ପର୍ବ ପାଇଁ ଲୋକେ ଆଉ ପୂର୍ବପରି ଉତ୍ସାହିତ ନାହାନ୍ତି। ଦଶହରା ସମୟରେ ବୁଲିବା ପାଇଁ ଯେଉଁ ଆଶା ଓ ଆଗ୍ରହ ଥାଏ, ତାହା ଆଉ ନାହିଁ। ପୃଥିବୀ ପୃଷ୍ଠକୁ କୋଭିଡ-୧୯ ସଂକ୍ରମଣ ଆସିବା ଦିନଠାରୁ ଉତ୍ସବରେ ଆଉ ରଙ୍ଗ ନାହିଁ। ଏହି ରଙ୍ଗ ଓଡ଼ିଶାରେ ଅଧିକ ଫିକା ପଡ଼ିଯାଉଛି। କାରଣ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କଟକଣା ଅଧିକ।

    ରାଜଧାନୀ ଭୁବନେଶ୍ୱର ଓ ଐତିହାସିକ ସହର କଟକରେ ଚଳିତ ବର୍ଷ ଦୁର୍ଗାପୂଜା ଫିକା ପଡ଼ିଛି। କଟକ ଦୁର୍ଗାପୂଜାର ବହୁ ଦିନ ଆଗରୁ ଗହଳି ଦେଖିବାକୁ ମିଳୁଥାଏ। କିନ୍ତୁ ଏବର୍ଷ ସଂପୂର୍ଣ୍ଣ ଫିକା ପଡ଼ିଛି। କାରଣ ପୂଜା କମିଟିମାନଙ୍କୁ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍‌ ଅନୁସାରେ ପୂଜା କରିବାକୁ ପଡୁଛି। ପୂର୍ବରୁ ମନଲୋଗା ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ବ୍ୟବସ୍ଥା ହୋଇପାରୁଥିଲା। ଏହେ ସେସବୁ ସ୍ୱପ୍ନ ହୋଇଯାଇଛି। ଭୁବନେଶ୍ୱର ଓ ରାଉରକେଲା ସମେତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ସମାନ ଅବସ୍ଥା।

    ପୂଜା ମଣ୍ଡପ ପରିବେଶ ରହିବ କିପରି?

    ଓଡ଼ିଶାରେ ଚଳିତ ବର୍ଷ ଦୁର୍ଗାପୂଜା କୋଭିଡ୍‌ କଟକଣା ଭିତରେ ଅନୁଷ୍ଠିତ ହେଉଛି। ଏଥି ପାଇଁ ଗତ ସେପ୍ଟେମ୍ବର ମାସରେ ଏସ୍‌ଓପି ଜାରି କାଯାଇଛି। ଏସ୍‌ଓପି ପାଳନ ନ କରାଗଲେ ସମ୍ପୃକ୍ତ ଆୟୋଜକ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।  ତେଣୁ ମୁତାବକ ମଣ୍ଡପରେ କେବଳ ପୂଜା ହୋଇପାରିବ। ଘରେ ଯେମିତି ପୂଜା କରାଯାଇଥାଏ ସେହିଭଳି ହେବ। ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ। ମଣ୍ଡପରେ ୭ ଜଣରୁ ଅଧିକ ଲୋକ ଯାଇପାରିବେ ନାହିଁ। ଅନ୍ୟପଟରେ ଯେଉଁମାନେ ପୂଜା ମଣ୍ଡପରେ ରହିବେ, ସେମାନେ କରୋନା ଟିକାର ଉଭୟ ଡୋଜ୍‌ ନେଇଥିବା ଦରକାର। ମଣ୍ଡପକୁ ୩ ଦିଗରୁ ଢଙ୍କା ଯିବ। ଅର୍ଥାତ ଏହି ୩ ଦିଗରୁ କେହି ପ୍ରବେଶ କରିପାରିବେ ନାହିଁ। କେବଳ ଗୋଟିଏ ଦିଗ ଖୋଲା ରହିବ। ତାହା ମଧ୍ୟ ସବୁବେଳେ ଖୋଲା ରହିବ ନାହିଁ।

    ଶାନ୍ତ ପରିବେଶରେ ମା’ଙ୍କ ପୂଜାର୍ଚ୍ଚନା

    ପୂଜାସ୍ଥଳରେ ମାଇକ୍‌ କିମ୍ବା ଅନ୍ୟ କୌଣସି ମ୍ୟୁଜିକ୍‌ ସିଷ୍ଟମ୍‌ ବାଜି ପାରିବ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି। କାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଭିଡ଼ ହେବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପରେ ଭସାଣୀ ପାଇଁ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ଭସାଣୀ ଶୋଭାଯାତ୍ରାରେ ମାତ୍ର ୧୦ ଜଣ କର୍ମକର୍ତ୍ତା ସାମିଲ ହୋଇପାରିବେ। ଏହି ସମୟରେ ସେମାନେ ବାଧ୍ୟତାମୂଳକ ଭାବେ କୋଭିଡ୍‌ କଟକଣା ପାଳନ କରିବେ।

    ପଡୋଶୀରେ କେମିତି ହେଉଛି ଆୟୋଜନ

    ଓଡ଼ିଶା ଭଳି ଏହାର ପଡୋଶୀ ରାଜ୍ୟରେ ଦୁର୍ଗାପୂଜାରେ କଟକଣା ନାହିଁ। ଯଦିଓ ପଡୋଶୀ ରାଜ୍ୟରେ କୋଭିଡ କଟକଣା ରହିଛି, ଓଡ଼ିଶା ତୁଳନାରେ ଅନେକ କ୍ଷେତ୍ରରେ କୋହଳ ହୋଇଛି। ପଶ୍ଚିମବଙ୍ଗରେ କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ଦୁର୍ଗାପୂଜାର ଆୟୋଜନ ହେଉଛି। ପୂର୍ବ ବର୍ଷ ତୁଳନାରେ ବଡ଼ ବଡ଼ ତୋରଣ କରାଯାଇ ନାହିଁ ସତ, କିନ୍ତୁ ମା’ଙ୍କ ପୂଜାସ୍ଥଳ ସୁସଜ୍ଜିତ କରାଯାଇଛି। କୋଭିଡ କଟକଣା ସହିତ ମା’ଙ୍କ ଦର୍ଶନ କରିବାକୁ ମମତାଙ୍କ ସରକାର ନିବେଦନ କରିଛନ୍ତି। ପଶ୍ଚିମବଙ୍ଗରେ ଦୁର୍ଗାପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କିନ୍ତୁ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରକ୍ଷା କରି ମା’ଙ୍କୁ ଲାଇନ୍‌ରେ ଆସି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ଝାଡ଼ଖଣ୍ଡରେ ମଧ୍ୟ କୋଭିଡ କଟକଣା ମଧ୍ୟରେ ଦୁର୍ଗାପୂଜା ହେଉଛି। ଛତିଶଗଡ଼ରେ ଦୁର୍ଗାପୂଜା ପୂର୍ବ ବର୍ଷ ଭଳି ଆୟୋଜନ ହେଉଛି। ମୂର୍ତ୍ତିର ଉଚ୍ଚତା ନେଇ ସେମିତି ନିର୍ଦ୍ଧିଷ୍ଟ ନିର୍ଦ୍ଦେଶ ନାହିଁ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ।

    LEAVE A REPLY

    Please enter your comment!
    Please enter your name here