କଳିଙ୍ଗରେ ପୁଣି ଜୟ ହୋ…

    0
    507

    ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପୁଣି ହକି ବିଶ୍ୱକପ୍‌ର ଆୟୋଜନ ହେବାକୁ ଯାଉଛି। ଏହା ହକିପ୍ରେମୀଙ୍କ ପାଇଁ ଖୁସି ଖବର। ଆଗାମୀ ନଭେମ୍ବର ୨୫ ତାରିଖ ଠାରୁ ଭୁବନେଶ୍ୱରରେ ଦ୍ୱାଦଶ ତମ ପୁରୁଷ ଜୁନିଅର ହକି ବିଶ୍ୱକପ୍‌-୨୦୨୧ର ଆୟୋଜନ ହେବ। କଳିଙ୍ଗ ଷ୍ଟାଡ଼ିୟମ୍‌ର ନୀଳ ରଂଗର ଟର୍ଫରେ ହକି ବଲ୍‌, ହକିଷ୍ଟିକ୍‌ର ସଂଯୋଗ ହେବ। ଜୟ ହୋ ଗୀତରେ ପଡ଼ିଆ କମ୍ପି ଉଠିବ। ୧୧ ଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ବଛାବଛା ଦଳ ପ୍ରତିନିଧିତ୍ୱ କରିବେ। ଡିସେମ୍ବର ୫ ତାରିଖରେ ହକି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜୁନିଅର ହକିକୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୁଷ ଜୁନିଅର ହକି ବିଶ୍ୱକପ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ୍‌ ପାଇଁ ଲୋଗୋ  ଓ ଟ୍ରଫି ଉନ୍ମୋଚନ କରିଛନ୍ତି।

    ସୂଚନାଯୋଗ୍ୟ, ଓଡ଼ିଶା ହେଉଛି ଭାରତୀୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ। ହକି ଓ ହକି ଖେଳାଳିଙ୍କ ବିକାଶ ପାଇଁ ଓଡ଼ିଶା ସରକାର ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଜୁନିଅର ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୦୨୩ ମସିହାରେ ଭୁବନେଶ୍ୱର ଓ ରାଉରକେଲାରେ ସିନିଅର ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରିବାକୁ ଯାଉଛନ୍ତି। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ରାଉରକେଲାରେ ଅତ୍ୟାଧୁନିକ ହକି ଷ୍ଟାଡ଼ିୟମ୍‌ ନିର୍ମାଣ ଜାରି ରହିଛି। ହକିର ଏନ୍ତୁଡ଼ି ଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି।

    ମଜବୁତ୍‌ ହେବ ହକି ଭିତ୍ତିଭୂମି
    ଜାପାନର ଟୋକିଓରେ ଆୟୋଜିତ ଅଲିମ୍ପିକ୍ସ-୨୦୨୦ରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଉଲ୍ଲେଖନୀୟ ସଫଳତା ପାଇବା ପରେ ଦେଶରେ ହକିର ଚାହିଦା ବଢ଼ିଯାଇଛି। ବିଶେଷ ଭାବରେ ହକିର ପ୍ରାୟୋଜକ ଓଡ଼ିଶା ସରକାର ଥିବାରୁ ରାଜ୍ୟରେ ଜୁନିଅର ହକି ବିଶ୍ୱକପ୍‌ ଆୟୋଜନ କରିବାକୁ କୌଣସି ଅସୁବିଧା ନାହିଁ। ଅନ୍ୟପଟରେ ରାଜ୍ୟରେ ହକି ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି। ଏହାକୁ ଆହୁରି ମଜବୁତ କରିବା ପାଇଁ ସରକାର ଅଧିକ ଉଦ୍ୟମ କରୁଛନ୍ତି।  

    ରଗ୍‌ବି ଟିମ୍‌କୁ ୫ ଲକ୍ଷ ଟଙ୍କା ପୁରସ୍କାର
    କ୍ରୀଡ଼ା କ୍ଷେତ୍ରରେ ବିକାଶ ନେଇ ଓଡ଼ିଶାର ନାମ ସାରା ଭାରତରେ ଚର୍ଚ୍ଚାକୁ ଆସୁଛି। ଭୁବନେଶ୍ୱର କ୍ରୀଡ଼ାର ରାଜଧାନୀ ପାଲଟିଛି। ରାଜ୍ୟ ସରକାର ହକି ବ୍ୟତୀତ ଅନ୍ୟ ଖେଳକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। କିନ୍ତୁ ହକି ପରେ ରଗ୍‌ବିକୁ ସରକାର ଦ୍ୱିତୀୟ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ନିକଟରେ ରାଜ୍ୟ ସରକାର ଭାରତୀୟ ରଗ୍‌ବି ଟିମ୍‌ ସହିତ ବୁଝାମଣା କରିଛି। ନିକଟରେ ଏସୀୟ ୧୮ ବର୍ଷରୁ କମ୍‌ ରଗ୍‌ବି ସେଭେନ୍‌ସ ରୌପ୍ୟ ବିଜେତା ଭାରତୀୟ ବାଳିକା ଦଳକୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି।  ଏହି ଟିମ୍‌ ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ସହ ୫ ଦେଶ କାଜାଖସ୍ତାନ, ର୍କିଗିଜସ୍ତାନ, ୟୁଏଇ ଓ ଆୟୋଜକ ଉଜବେକିସ୍ତାନ ଭାଗ ନେଇଥିଲେ। 

    LEAVE A REPLY

    Please enter your comment!
    Please enter your name here