ଭୁବନେଶ୍ବର: ଓଡ଼ିଶାର ପଦ୍ମପୁର ନୂଆଁ ଜିଲ୍ଲା ହେବ କି? ଯଦି ଏହା ହଁ, ତା’ହେଲେ ରାଜ୍ୟର ୩୧ତମ ଜିଲ୍ଲା ହେବ। ବରଗଡ଼ ଗଠନ ହେବାର ୩୦ ବର୍ଷ ବର୍ଷ ପୂରଣ ହେବା ଅବସରରେ ନୂଆ ଜିଲ୍ଲାକୁ ଜନ୍ମ ଦେବ। ପଦ୍ମପୁର ନୂଆ ଜିଲ୍ଲା ଭାବେ ଗଠନ ହେବା ଯଦିଓ ବିଧିବଦ୍ଧ ଘୋଷଣା ହୋଇନାହିଁ, ଏକ ପ୍ରକାର ସବୁଜ ସଂକେତ ମିଳିସାରିଛି। ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନ เกม pg ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବା ବେଳେ ସରକାର ଖୋଲାଖୋଲି ଘୋଷଣା କରି ନ ଥିଲେ ବି ମତଦାତା ଓ ପଦ୍ମପୁରବାସୀଙ୍କୁ ଆକର୍ଷିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ତେବେ ଉପନିର୍ବାଚନ ଜିତିବା ପାଇଁ ନବୀନ ଏହି ନୂଆ ଫର୍ମୁଲା ବାହାର କରି ନାହାନ୍ତି ତ ବୋଲି ମଧ୍ୟ ସନ୍ଦେହ ହେଉଛି। ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ନବୀନ ପଦ୍ମପୁର ପାଇଁ ୪୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଲାଗି ଘୋଷଣା କରିଥିଲେ।
ଅନ୍ୟପଟରେ ନବୀନଙ୍କ ଘୋଷଣା ସତ ହେବ କି ନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ୨୦୧୯ ଉପନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ରାଜ୍ୟରେ ୪ଟି ନୂଆ ଜିଲ୍ଲା ସୃଷ୍ଟି ହେବ। ଉତ୍ତର ଓଡ଼ିଶାରେ ୨ଟି ପଶ୍ଚିମ ଓଡ଼ିଶାର ୨ଟି ଜିଲ୍ଲାରୁ ମୋଟ ୪ଟି ନୂଆ ଜିଲ୍ଲା ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ନୂଆ ଜିଲ୍ଲାର ଗଠନ ହୋଇପାରି ନାହିଁ। ୨୦୧୮ ଡିସେମ୍ବର ମାସରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର ଓ ବଲାଙ୍ଗୀରରୁ ନୂଆ ଜିଲ୍ଲା ବାହାରିବ। ମୟୂରଭଂଜର ବାଙ୍ଗିରିପୋଷି, ବଲାଙ୍ଗୀରର ଟିଟିଲାଗଡ଼, କେନ୍ଦୁଝରରୁ ଘସିପୁରା ଅଥବା ଆନନ୍ଦପୁର ଏବଂ ସୁନ୍ଦରଗଡ଼ରୁ ରାଉରକେଲାକୁ ନୂଆଁ ଜିଲ୍ଲାର ମାନ୍ୟତା ମିଳିବ ବୋଲି ଆଶା କରାଯାଉଥିଲା। ସୂଚନାଯୋଗ୍ୟ, ୧୯୯୩ରେ ୧୭ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହା ପୂର୍ବରୁ ରାଜ୍ୟରେ ୧୩ଟି ଜିଲ୍ଲା ଥିଲା।
ବର୍ଷେ ପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା!
ପଦ୍ମପୁର ଉପନିର୍ବାଚନ ପୂର୍ବରୁ ‘ପଦ୍ମପୁର‘କୁ ନୂଆ ଜିଲ୍ଲା ଭାବେ ଗଢ଼ିବା ପାଇଁ ଜୋରଦାର ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ସ୍ବୀକାର କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାରୁ ଏବଂ ଆଚରଣ ବିଧି ଲାଗୁ ହୋଇଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦିଓ ନୂଆ ଜିଲ୍ଲା ଗଠନ କରାଯିବାର ଘୋଷଣା ଆଇନ ସମ୍ମତ ନୁହେଁ, ତଥାପି ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିପାରେ। ମୁଖ୍ୟମନ୍ତ୍ରୀଙ୍କ ସହ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ପ୍ରତିଶୃତି ମିଳିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହି ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହା କୁହାଯାଇଛି। ସୂଚନାଯୋଗ୍ୟ, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ କ୍ରିୟାନୁଷ୍ଠାନ କମିଟି ଭେଟିଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା: ବିଜେପି
କ୍ରିୟାନୁଷ୍ଠାନ କମିଟିର ପ୍ରତିକ୍ରିୟା ପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ୧୯୯୦ ମସିହାରେ ଯେବେ କମିସନ ବସିଥିଲା ସେହି ସମୟରେ ପଦ୍ମପୁରକୁ ଜିଲ୍ଲା କରାଯିବା ପାଇଁ ତାଙ୍କର ପ୍ରସ୍ତାବ ଦିଆଯାଇ ଥିଲା । ୨୦୧୧ ମସିହାରୁ ସେ ଅଞ୍ଚଳର ବୁଦ୍ଧିଜୀବୀ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ତତ୍କାଳୀନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ବିଧାନସଭାରେ ଏ ଦାବି ଉଠାଇବା ବେଳେ ମନ୍ତ୍ରୀ କହିଥିଲେ ସେମିତି କୌଣସି ପ୍ରସ୍ତାବ ନାହିଁ । ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ଚିଠି ଲେଖିଥିଲେ ଯେ ସେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ। ମାତ୍ର ତାର କୌଣସି ଉତ୍ତର ମିଳିଲା ନାହିଁ। ଏବେ ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ନବୀନଙ୍କ ପ୍ରତିଶ୍ରୁତି କେତେ ସତ?
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ନେଇ ସାମାଜିକ ଗଣମାଧ୍ୟମରେ ନାନା ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ନିର୍ବାଚନୀ ସମୟରେ ଲୋକଙ୍କୁ ସରକାର ଲଲିପପ ଦେଖାଉଛନ୍ତି ବୋଲି କୁହାଯାଇଛି। କିଛି ୟୁଜର୍ସ କହିଛନ୍ତି, ନବୀନଙ୍କ ପ୍ରତିଶ୍ରୁତି ମୂଲ୍ୟହୀନ। ଅନ୍ୟପଟରେ ତାଳଚେର, ଛତ୍ରପୁର, ଚଣ୍ଡୀଖୋଲ, ବୀରମହାରାଜପୁର, ଆନନ୍ଦପୁରକୁ ମଧ୍ୟ ଜିଲ୍ଲା କରାଯାଉ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହୁରି ମଧ୍ୟ କିଛି ୟୁଜର ଚାହାନ୍ତି ଯେ, ସବୁ ବ୍ଲକକୁ ଜିଲ୍ଲା କରିଦିଆଯାଉ।


