ଅସୁରକ୍ଷିତ ଯାତ୍ରା: ଭସାଇ ନେଉଛି ନଦୀ

    0
    370

    ଭୁବନେଶ୍ବର: ଜଳ ସହିତ ଜୀବନର ସଂପର୍କ ଅତି ଘନିଷ୍ଠ। ଜଳ ବିନା ଜୀବନ ବଂଚିବା ଅସମ୍ଭବ। ପ୍ରତିଟି କାର୍ଯ୍ୟରେ ଜଳର ଆବଶ୍ୟକତା ରହିଛି। ଏପରିକି ଜଳ ବିନା ବିକାଶ ସମ୍ଭବ ନୁହେଁ। ମାତ୍ର ଜଳ ଯୋଗୁଁ ମଧ୍ୟ ପ୍ରଳୟ ହେଉଛି। ବିଶ୍ବର ୪ ଭାଗରୁ ଜଳର ସ୍ଥାନ ହେଉଛି ୩ ଭାଗ। କୁହାଯାଇଥାଏ ଯେ, ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ।’ ସଂକ୍ଷେପରେ କହିବାକୁ ଗଲେ ଜଳ କମ ହେଲେ ବି ଅସୁବିଧା ହେଉଛି ଏବଂ ଜଳର ପରମାଣ ଅଧିକ ହୋଇଗଲେ ଜୀବନ ବିନାଶ ଆଡକୁ ଯାଉଛି। ଅତି ସଂକ୍ଷେପରେ କହିବାକୁ ଗଲେ ଜଳ ସ୍ରୋତରେ ଜୀବନଟା ଅଟକି ରହିଛି।

    ଓଡ଼ିଶାରେ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟବ୍ୟାପୀ ଥିବା ନଦୀଗୁଡ଼ିକରେ ବନ୍ୟା ପାଣି ଆସିଛି। କେବଳ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ନାଗାବଳୀ, ସୁବର୍ଣ୍ଣରେଖା ନୁହେଁ, ବରଂ ଅନ୍ୟ ନଦୀଗୁଡ଼ିକ ମଧ୍ୟ ଫୁଲିଛି। ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଜଳ ନିଷ୍କାସିତ ହୋଇଥିବାରୁ ବିଗତ ଦିନରେ ଅନେକ ନଦୀରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଜଳ ସ୍ରୋତରେ ଜୀବନ ଭାସିଯିବାର ମୁଖ୍ୟ କାରଣ ହେଲା ଅବହେଳା ବୋଲି କୁହାଯାଇ ପାରିବ।

    ପୁଅ ଆଗରେ ଭାସଗଲେ ମା’

    ଚଳିତ ଅଗଷ୍ଟ ମାସରେ ରାଜ୍ୟର ବିଭିନ୍ନ ନଦୀରେ ଏକାଧିକ ଅଘଟଣ ଘଟିଛି। ଅନେକ ଲୋକଙ୍କର ଜୀବନ ଯାଇଛି। ଗତ ୧୬ ତାରିଖ ଦିନ ବୁଢାବଳଙ୍ଗ ନଦୀସୁଅରେ ଜଣେ ମହିଳା ଯମୁନା ସିଂ (୪୦) ଭାସି ଯାଇଥିଲେ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଜୁଆଳିକଟା ଗ୍ରାମର  ସ୍ବର୍ଗତ ମଙ୍ଗଳ ସିଂଙ୍କ ପତ୍ନୀ ଯମୁନା ନିଜ ପୁଅ ଶିବା (୧୪)ର ଆଖି ଆଗରେ ଭାସି ଯାଇଥିଲେ। ପୁଅ ସବୁ ଦେଖୁଥିଲେ ବି ନଦୀର ଜଳସ୍ରୋତ ଏତେ ପ୍ରଖର ଥିଲା ଯେ, କିଛି କରିପାରି ନଥିଲେ। ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ। ମା’କୁ ଝୁରିଝୁରି ପୁଅ ନଦୀକୂଳରେ ହିଁ ଜଗି ବସିଥିଲା ସିନା କିଛି ଲାଭ ହୋଇ ନଥିଲା।

    ନାଗାବଳୀରେ ଭାସିଗଲେ ବାପ-ପୁଅ

    ରାୟଗଡ଼ା ଦେଇ ପ୍ରବାହିତ ନାଗାବଳୀ ନଦୀରେ ଭାସିଯାଇ ଗୁରୁବାର ଜଣେ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ଗାଧୋଉ ଥିବା ବେଳେ ପାଣିରେ ଭାସିଯାଇଥିଲେ। ପୁଅକୁ ଉଦ୍ଧାର କରିବା ପାଇଁ ବାପା ନଦୀ ଗର୍ଭକୁ ଡେଇଁଥିଲେ ମଧ୍ୟ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇନାହାନ୍ତି। ଅଗ୍ନିଶମ ବିଭାଗ ନଦୀରେ ଫସିଥିବା ବାପା ଗୋପାଳକ୍ରିଷ୍ଣା ରାଓଙ୍କୁ ଉଦ୍ଧାର କରିଥିବା ବେଳେ ୬ ବର୍ଷର ପୁଅ ଅମରେଶ ରାଓ ନିଖୋଜ ଅଛନ୍ତି। ଗୋପାଳକ୍ରିଷ୍ଣା ନିଜ ପରିବାର ସହ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରୁ ମା ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସଭିଏଁ ନାଗାବଳୀ ନଦୀ ଉପରେ ଥିବା ଝୁଲା ବ୍ରିଜ ବୁଲିବାକୁ ଯାଇଥିଲେ। କିଛି ସମୟ ବ୍ରିଜ ଉପରେ ବୁଲିବା ପରେ ନଦୀ ତଳକୁ ଓହ୍ଲାଇଥିଲେ। ନିଖୋଜ ଶିଶୁ ଅମରେଶ ନଦୀରେ ହାତ ଧୋଉଥିବା ବେଳେ ତଳକୁ ଖସି ଯାଇଥିଲେ।

    ସ୍ବାମୀଙ୍କ ହାତ ଛାଡ଼ିଦେଲେ ମହିଳା

    କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ନଦୀପାରି ହେଉଥିବା ବେଳେ ଡୁମ୍ବାଗୁଡା ଗାଁର ହବିକା କୁସେଙ୍କୁ ତାଙ୍କ ସ୍ତ୍ରୀ ହବିକା ଜମ୍ବୁ (୫୦) ଛାଡ଼ି ଚାଲିଯାଇଛନ୍ତି। ଉଭୟ ନଦୀ ମଝିରେ ହାତ ଧରି ଦୁହେଁ ପାର ହେଉଥିଲେ। କିନ୍ତୁ ଜଳସ୍ରୋତରେ ଭାସି ଯାଇଥିଲେ ଜମ୍ବୁ। ସ୍ବାମୀ କିନ୍ତୁ ବଡ଼ କଷ୍ଟରେ ନଦୀ ପାର ହୋଇ ଗାଁରେ ପହଞ୍ଚି ଥିଲେ। ରାତି ଅଧରେ ଗାଁ ଲୋକଙ୍କ ଠାରୁ ଖବର ଶୁଣି ନାରାୟଣପାଟଣା ଦମକଳ କେନ୍ଦ୍ରର ୬ ଜଣିଆ ଟିମ୍ ନଦୀରେ ଖୋଜାଖୋଜି କରିଥିଲେ । ରାତି ତମାମ ଖୋଜିବା ପରେ ଗାଁ ଠାରୁ ଦେଢ କିଲୋମିଟର ଦୁର ଏକ ଖୋଲାରେ ଯାଇ ମୃତଦେହ ମିଳିଥିଲା।

    କାର ସହ ଭାସିଗଲେ ୨ ଜଣ

    ସେହିପରି ଗତ ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନର୍ଗତ ଗବାଗୁଡ଼ା ଗ୍ରାମର ଜାନିସାହିରେ ଜଣେ ଯୁବତୀ ନିକଟସ୍ଥ ସତୀଘାଟ ନଦୀ ପାର ହେଉଥିବା ବେଳେ ଭାସି ଯାଇଥିଲେ।  ମନସାଇ ଜାନୀଙ୍କ ଝିଅ ତୁଲାବତୀ ଜାନୀ(୨୦) ସତୀଘାଟ ନଦୀରେ ପାର କରି ନିଜ ଜମିରେ କାମ କରିବା ପାଇଁ ଯାଇଥିଲେ। ତେବେ ସନ୍ଧ୍ୟାରେ ନଦୀ ପାର କରି ନିଜ ଘରକୁ ଫେରିବା ସମୟରେ ବର୍ଷା ଯୋଗୁଁ ନଦୀରେ ବର୍ଷା ପାଣି ଅଧିକ ଥିବାରୁ ତୁଲାବତୀ ନଦୀ ପାଣିରେ ଭାସି ଯାଇଥିଲେ। ସମ୍ବଲପୁର ଜିଲ୍ଲା  ଜମନକିରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।  କେନାଢିପା ଆର୍ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍ ସହ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ (୫୦) ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ (୫୨) ଭାସି ଯାଇଥିଲେ।

    LEAVE A REPLY

    Please enter your comment!
    Please enter your name here